ଐତିହ୍ୟ ନଗରୀ ହେବ ପୁରୀ, ଖର୍ଚ୍ଚ ହେବ ୫୦୦ କୋଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହୋଇଛି । ଶୁକ୍ରବାର ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ଲାଗି ସେଠାରେ ଭିତ୍ତିଭୂମିର ବିକାଶ ଆବଶ୍ୟକ । ଏଥିସହ ଶ୍ରୀମନ୍ଦିରର ନିରାପତ୍ତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଭାଙ୍ଗିବା ପାଇଁ ଅଞ୍ଚଳବାସୀ ପ୍ରଶାସନକୁ ସହଯୋଗ କରନ୍ତୁ, କ୍ଷତିଗ୍ରସ୍ତଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପୁରୀ ପାଇଁ ଘୋଷଣା ହୋଇଥିବା ପ୍ୟାକେଜ ହେଲା, ୧୯୦ କୋଟି ବ୍ୟୟରେ ପୁରୀ ବାଇପାସ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଆଧୁନିକ ଶ୍ରୀସେତୁ ଦ୍ୱାରା ସଂଯୋଗ କରାଯିବ । ଏଥିସହ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ବ୍ୟବସ୍ଥା ସହ ୧୦ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ର୍ନିମାଣ ହେବ । ଏଥିସହ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଦୋକାନ ବଜାରର ବ୍ୟବସ୍ଥା କରାଯିବ । ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ ।
ନଦୀ ପରିବେଶରେ ଉନ୍ନତି ଅଣାଯାଇ ସେଠାରେ ପର୍ଯ୍ୟଟନର ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ୫ କୋଟି ବ୍ୟୟରେ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ । ୩୫ କୋଟି ଖର୍ଚ୍ଚ କରାଯାଇ ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଆସୁଥିବା ମଠଗୁଡ଼ିକର ସ୍ଥାନାନ୍ତର କରାଯିବ । ସରକାର ଦୋକାନ ପାଇଁ ଘର ଯୋଗାଇ ଦେବା ସହ ଥଇଥାନ ପ୍ୟାକେଜ ମଧ୍ୟ କାର୍ଯ୍ୟକାରୀ କରିବେ । ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ ସ୍ବେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଆଦିର ପୁନରୁଦ୍ଧାର କରାଯିବ । ଐତିହ୍ୟସ୍ଥଳର ସଂରକ୍ଷଣ କରାଯିବ । ଏସବୁ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସେତୁ ଓ ର୍ନିମାଣ ନିଗମକୁ ଏସବୁ ଦାୟିତ୍ୱ ଦିଆଯାଇଛି ।