୪ରାଜ୍ୟସଭା ଆସନ ପାଇଁ ୫ ଜଣ ଦାବେଦାର

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନରେ ବିଜେଡି ବିପୁଳ ମାତ୍ରାରେ ଜୟଯୁକ୍ତ ହେବାପରେ ପୁରା ଜୋସରେ ଥିବା ରାଜ୍ୟ ସରକାର ଆଗକୁ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏହି ୪ ରାଜ୍ୟସଭା ସାଂସଦ ପଦ ପାଇଁ ୫ ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟ ପୁନର୍ବାର ଚୟନ ହେବା ସମ୍ଭାବନା ଥିବାବେଳେ ଅନ୍ୟ ଦୁଇଟି ଆସନ ପାଇଁ ନିକଟରେ କଂଗ୍ରେସର ହାତ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ମାଝି, ସୁସ୍ମିତା ବାକଚି ଏବଂ ଶ୍ରୀମୟୀ ମିଶ୍ରଙ୍କ ନାଁ ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଭାସ୍କର ରାଓ କାର୍ଯ୍ୟକାଳ ଖୁବଶୀଘ୍ର ସରିବାକୁ ଯାଉଥିବା ବେଳେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ । ସୁବାସ ସିଂହଙ୍କ ୪ ବର୍ଷ କାର୍ଯ୍ୟକାଳ ବାକି ରହିଛି । ସସ୍ମିତ ପାତ୍ର ଜଣେ ସକ୍ରିୟ ରାଜ୍ୟସଭା ସାଂସଦ । ରାଜ୍ୟସଭା ପ୍ରଶ୍ନକାଳ ସମୟ ହେଉ କିମ୍ବା ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ହେଉ ଶ୍ରୀ ପାତ୍ର ତର୍କ ବିତର୍କରେ ଭାଗ ନେଉଥିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ପୁନର୍ବାର ଏହି ସୁଯୋଗ ପ୍ରଦାନ କରାଯାଇ ପାରେ ବୋଲି ଦଳର ନେତା ଆକଳନ କରୁଛନ୍ତି । ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଏବା ନଜାଣେ । ସେ ବିଜେଡି ଦଳର ଚାଣକ୍ୟ ଭାବେ ପରିଚିତ । ପଶ୍ଚିମ ଓଡ଼ିଶାରେ ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରିନଥିଲା । ତେଣୁ ଦଳ ପକ୍ଷରୁ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଇଥିଲା । ଏହାର ସୁଫଳ ମଧ୍ୟ ବିଜେଡ଼ିକୁ ମିଳିଛି । ବିଜେଡ଼ି ଏଥର ପଶ୍ଚିମ ଓଡ଼ିଶାରେ ଖୁବ ଭଲ ପ୍ରଦର୍ଶନ କରିଛି । ତେଣୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ପୁନର୍ବାର ଚୟନ କରିବା ସମ୍ଭାବନା ଅଧିକ। ତେବେ ଅନ୍ୟ ଦୁଇ ରାଜ୍ୟସଭା ଆସନ ପାଇଁ ପ୍ରଦୀପ ମାଝି, ସୁସ୍ମିତା ବାକଚି ଏବଂ ଶ୍ରୀମୟୀ ମିଶ୍ରଙ୍କ ନାଁ ରେସରେ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଥାଉ କି, ସୁବାସ ସିଂହ କଟକ ମେୟର ଭାବେ ବିଜୟ ଲାଭ କରିଛନ୍ତି ତେଣୁ ସେ ଖୁବଶୀଘ୍ର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ । ଅପରପକ୍ଷରେ ଭୁବନେଶ୍ୱର ମେୟର ପଦ ପାଇଁ ଶ୍ରୀମୟୀ ଏବଂ ସୁସ୍ମିତାଙ୍କ ନାଁ ଖୁବ ଚର୍ଚ୍ଚାରେ ଥିଲା । ମାତ୍ର ଶ୍ରୀମୟୀଙ୍କୁ ରାଜ୍ୟସଭା ପଠାଇ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାର ବଡଗଡ଼ ଜିଲ୍ଲା ବିଜେଡି ସଂଗଠନକୁ ଅଧିକ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ସୁସ୍ମିତା ମେୟର ପଦବୀ ପାଇଁ ଇଛୁକ ନଥିବା ପ୍ରକାଶ କରିବା ପରେ ତାଙ୍କୁ ରାଜ୍ୟସଭାକୁ ପଠାଯିବା ନେଇ ଅନୁମାନ କରାଯାଉଛି ।

Leave a comment