ବିବାହ ଭୋଜି ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୪ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ କାଲାହାଣ୍ଡି ଜିଲ୍ଲାର କେସିଙ୍ଗା ପୋଲିସ ସୀମା ଅନ୍ତର୍ଗତ ତୁର୍ଲାଖାମାନ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ ଶିଶୁଥିବା ସୂଚନା ମିଳିଛି । ଏକ ବିବାହ ଭୋଜିରୁ ଫେରୁଥିବା ସମୟରେ ଏସୟୁଭି ଗଡ଼ିଟି ଏକ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ।
ସୂଚନା ଅନୁଯାୟୀ, ଏକ ବିବାହ ସମାରୋହରେ ଯୋଗଦେବା ପରେ ବାଲାଙ୍ଗୀର ଜିଲ୍ଲାର ପିପାଲପଦରରୁ ପ୍ରାୟ ୧୧ ଜଣ ବ୍ୟକ୍ତି ଏସୟୁଭି ଗାଡିରେ ଫେରୁଥିଲେ। ଏସୟୁଭି ଗଡ଼ିଟି ଏକ ଧାନ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଗାଡିରେ ଥିବା ଚାରିଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିବା ସହ ଅନ୍ୟ ୭ଜଣ ଗୁରୁତର ଆହତ ହୋଇଥିଲେ।
ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୀଡିତମାନଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା। ଆହତମାନଙ୍କ ମଧ୍ୟରେ ଜଣେ ଶିଶୁ ଅଛି ଯାହାକୁ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । କେଉଁ ପରିସ୍ଥିତିରେ ସଡ଼କ ଦୁର୍ଘଟଣା ଘଟିଛି ତାହା ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।