ଭୁବନେଶ୍ୱର, କଟକ ଓ ଭଦ୍ରକ ସହର ୪୮ଘଣ୍ଟା ସଟଡାଉନ, ପଢ଼ନ୍ତୁ କଣ କହୁଛନ୍ତି ଡିଜି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ପୁଲସି ମହାନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଯଦି କେହି ଘରୁ ପଦାକୁ ବାହାରନ୍ତି ପୋଲିସ ନେଇ ୧୪ ଦିନ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ରଖିବେ ।
ସୂଚନାଯୋଗ୍ୟ, ସଟଡାଉନରେ କୌଣସି ଦୋକାନ ବଜାର ଖୋଲା ରହିବ ନାହିଁ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । ଏହାବ୍ୟତୀତ ମେଡ଼ିକାଲ ସେବାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସଟଡାଉନ ସମୟରେ ମେଡ଼ିକାଲ ସେବା ସମ୍ପୂର୍ଣ୍ଣ ଖୋଲା ଥିଲା । ହେଲେ ଏହି ୪୮ ଘଣ୍ଟାରେ ମେଡ଼ିକାଲ ସେବାକୁ ଆଂଶିକ ସଙ୍କୁଚିତ କରାଯିବ । ଔଷଧ ଦୋକାନ ସଂଖ୍ୟା କମିଯିବ । ପ୍ରଶାସନର ନିଷ୍ପତ୍ତି ଅନୁସାରେ ଖୋଲିବ ଔଷଧ ଦୋକାନ । ଛୋଟମୋଟ ରୋଗ ପାଇଁ ଘରୁ ନାବାହାରିବାକୁ ପରାମର୍ଶ ଦିଆଯାଇଛ । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରୁ ରଖି ଭୁବନେଶ୍ୱରରେ ଆମ୍ବୁଲାନ୍ସ ସେବା ବଢ଼ାଇ ଦିଆଯାଇଛି । ଅତି ଜରୁରୀ ଥିଲେ ଆପଣ ଫୋନ୍ କଲେ ଆମ୍ବୁଲାନ୍ସ ଆପଣଙ୍କ ଘର ଆଗରେ ଛିଡ଼ାହୋଇଯିବ ବୋଲି କହିଛନ୍ତି ପୋଲିସ୍ ଡିଜି ।
ଏହି ସମୟରେ କୌଣସି ପାସ୍ କାମ କରିବ ନାହିଁ । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ପାଇଁ ଅନେକ ଲୋକଙ୍କୁ ପାସ୍ ଦିଆଯାଇଛି । ହେଲେ ସଟଡାଉନରେ ସେହି ପାସକୁ ବାତିଲ୍ କରି ଦିଆଯାଇଛି । ଲକଡାଉନ୍ ପାସ୍ ଦେଖାଇ ସଟଡାଉନରେ ଘରୁ ବାହାରି ପାରିବେ ନାହିଁ । ଏହି ସମୟ ପାଇଁ ନୂଆ ସଟଡାଉନ୍ ପାସ୍ ଉପଲବ୍ଧ କରାଯିବ । ଅତ୍ୟାବଶ୍ୟକ ସେବାରେ ଥିଲେ ପାସ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ।