ଆଜି ରାତି ୮ଟାରୁ ଭୁବନେଶ୍ୱର ଓ ଭଦ୍ରକ ଦୁଇଦିନ ସମ୍ପୂର୍ଣ୍ଣ ଲକଡାଉନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ସରକାରଙ୍କ ନିଦ ହଜାଇ ଦେଇଛି । କାରଣ ପୂର୍ବରୁ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ବିଦେଶ କିମ୍ବା ରାଜ୍ୟ ବାହାରକୁ ଗ୍ରସ୍ତ କରିଥିଲେ । ମାତ୍ର ୫ମ କରୋନା ଆକ୍ରାନ୍ତ ବିଦେଶ କିମ୍ବା ରାଜ୍ୟ ବହାରକୁ ଗ୍ରସ୍ତ କରିନଥିଲେ । ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ତାହାର ମଧ୍ୟ ସଠିକ ତଥ୍ୟ ରାଜ୍ୟ ସରକାର ପ୍ରାପ୍ତ କରିପାରି ନାହାନ୍ତି । ଯାହାକି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତକାଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂର୍ଯ୍ୟନଗର ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍ କରିଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ୪୮ଘଣ୍ଟା ପାଇଁ ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ଲାକଡାଉନ ହେବ ବୋଲି ସୂଚନା ଦେଇଛନ୍ତି । ଏହି ଲାକଡାଉନ ଆଜିରାତି ୮ଟାରୁ ଲାଗୁହେବ । ଯାହାକି ଆସନ୍ତା ରବିବାର ସନ୍ଧ୍ୟା ୮ଟା ଯାଏ ବଳବତ୍ତର ରହିବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଘରୁ ବାହାରିବାକୁ ନିଷେଧ କରାଯାଇଛି ।
ସଟଡାଉନ ବେଳେ କେବଳ କେତେକ ମେଡିସିନ ଦୋକାନକୁ ଛାଡିଲେ ବାକି ସମସ୍ତ ଦୋକାନ-ବଜାର ବନ୍ଦ ରହିବ । ଏଥିସହିତ ଲକଡାଉନ ଲାଗି ଦିଆଯାଇଥିବା ଜରୁରୀକାଳୀନ ପାସକୁ ମଧ୍ୟ ରଦ୍ଧ କରାଯାଇଛି । ଯଦି କେହି ଏହି ସମୟରେ ଘରୁ ବାହାରନ୍ତି, ତେବେ ସେମାନଙ୍କୁ ପୁଲିସ ଉଠାଇ ନେଇ ସରକାରୀ ହେପାଜତରେ ରଖିବେ । ଏଥିରେ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟ ସଚିବ ଅସିତ ତ୍ରୀପାଠୀ ଓ ପୁଲିସ ଡିଜି ଶ୍ରୀ ଅଭୟ ନିବେଦନ କରିଛନ୍ତି । ଭୁବନେଶ୍ୱରରେ ୮୦ ପ୍ରତିଶତ ଓ ଭଦ୍ରକରେ ୨୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।