ଦିଲ୍ଲୀରେ ଅଂଶୁଘାତ ପରିସ୍ଥିତି; ତାପମାତ୍ରା ୪୩.୧ ଡିଗ୍ରୀରେ ପହଞ୍ଚିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ପ୍ରଥମ ସପ୍ତାହରେ ରାଷ୍ଟ୍ରୀୟ ରାଜଧାନୀରେ ପ୍ରବଳ ଖରା ଅନୁଭୂତ ହେବା ସହିତ ଅଂଶୁଘାତ ପରିସ୍ଥିତି ଦେଖାଯାଉଛି। ସକାଳ ୯ଟା ପରେ ବାହାରକୁ ଯିବା କଷ୍ଟ ହେଉଛି। ଏହି ଅସୁବିଧାର ମୂଳ କାରଣ ହେଉଛି ବିଳମ୍ବରେ ମୌସୁମୀ ବାୟୁର ଆଗମନ। ରାଜଧାନୀବାସୀ ମୌସୁମୀକୁ ଅପେକ୍ଷା କରିଥିବା ବେଳେ ଦିନକୁ ଦିନ ଏହା ଅଧିକ ଚିନ୍ତା ବଢ଼ାଇ ଦେଉଛି। ଗତକାଲି ଦିଲ୍ଲୀରେ ସର୍ବାଧିକ ୪୩.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ସମତଳ ଅଞ୍ଚଳରେ ୪୦ ଡିଗ୍ରୀରୁ ଅଧିକ ଓ ସାଧାରଣ ତାପମାତ୍ରା ଠାରୁ ୪.୫ ଡିଗ୍ରୀ ଊର୍ଦ୍ଧ୍ୱ ତାପମାତ୍ରା ରହିବା ଦ୍ୱାରା ଅଂଶୁଘାତ ଆଶଂକା ଥାଏ।
ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀରୁ ଅଧିକ ୩୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଦିଲ୍ଲୀରେ ଶୁକ୍ରବାର ବର୍ଷା ହୋଇପାରେ ବୋଲି କହିଛି। ଦିଲ୍ଲୀରେ ଗତ ସୋମବାର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିଲା। ଏହାରି ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ଆହୁରି ଖରାପ ସ୍ତରକୁ ଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୭ ପୂର୍ବରୁ ଦିଲ୍ଲୀରେ ମୌସୁମୀ ବର୍ଷା ହେବାର ଆଶଙ୍କା ନାହିଁ। ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଜୁଲାଇ ଆରମ୍ଭରୁ ତାପମାତ୍ରା ବଢ଼ିଛି। ହିମାଚଳ ପ୍ରଦେଶ ଓ ଲଦାଖରେ ମଧ୍ୟ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି।