କିଏ ଭାଙ୍ଗିଲା ଜଗନ୍ନାଥଙ୍କ ରୋଷଘର ଚୁଲି ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର କେତେ ସୁରକ୍ଷିତ ? ଶ୍ରୀମନ୍ଦିର ଭିତରକୁ ପଶି କିଏ ଭାଙ୍ଗିଲା ଜଗନ୍ନାଥଙ୍କ ରୋଷଘର ଚୁଲି ? ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସତ୍ତ୍ୱେ ଏତେ ବଡ଼ ଅଘଟଣ ଘଟାଇଲା କିଏ ? ଏଭଳି ଅନେକ ପ୍ରଶ୍ନ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ଭକ୍ତିକୁ ଆଘାତ କରିଛି । କାହିଁକି ନା କଡା ସୁରକ୍ଷାବଳୟରେ ଥିବା ଦର୍ଶାଯାଉଥିବା ଶ୍ରୀମନ୍ଦିରର ରୋଷ ଘରେ ପଶି କିଛି ଦୃବୃତ୍ତ ଚୁଲି ଭାଙ୍ଗି ଦେଇଛନ୍ତି । ଶ୍ରୀମନ୍ଦିର ରୋଷ ଘର ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୪୦ ରୁ ୪୨ଟି ଚୁଲି ଭଙ୍ଗା ଯାଇଛି । ତେବେ କିଏ ଓ କିପରି ଶ୍ରୀମନ୍ଦିର ଭିତରେ ପଶି ଚୁଲି ଭାଙ୍ଗିଲା? ପୋଲିସ ଓ ପ୍ରଶାସନ ଏନେଇ କେମିତି ଜାଣିପାରିଲାନି?
ସୂଚନା ଅନୁଯାୟୀ, ରବିବାର ସକାଳେ ରୋଷ ଘରେ ଅବସ୍ଥାପିତ ଥିବା ମୋଟ ୨୪୨ ଚୁଲା ମଧ୍ୟରୁ ପାଖାପାଖି ୪୦ ଅଧିକ ଚୁଲା ଭଙ୍ଗା ଯାଇଥିବା ସେବାୟତମାନେ ଦେଖିବାକୁ ପାଇଥିଲେ । ତେବେ ଚାବି ପଡ଼ି ରହିଥିବା ଉତରପାର୍ଶ୍ୱ ଚୁଲି, ଏମାର ଚୁଲି, ଓଡ଼ିଆ ଚୁଲି ସୁରକ୍ଷିତ ରହିଛି । ଅନ୍ୟ ସମସ୍ତ ଚୁଲିକୁ କେହି ଦୁର୍ବୃତ ଭାଙ୍ଗି ଦେଇଛନ୍ତି । ଆଜି ଭୋରୁ କେହି ଏଭଳି କରିଥିବା ସନ୍ଦେହ କରାଯାଉଛି । ଯାହାକୁ ତୁରନ୍ତ ମରାମତି କରାଯାଇଛି । ତେବେ ଏ ଚୁଲି ଭାଙ୍ଗାଯିବ ପଛରେ କି ରହସ୍ୟ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି ।
ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଁଚି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ମନ୍ଦିର ନୀତି ପ୍ରଶାସକ ଓ ଅତିରିକ୍ତ ଏସ.ପି (ମନ୍ଦିର ସିକ୍ୟୁରିଟି)ଙ୍କ ଦ୍ୱାରା ଯୁଗ୍ମ ତଦନ୍ତ ଆରମ୍ଭ ହୋଇଛି । ଚୁଲି ଭଙ୍ଗା ହୋଇଥିବା ଯୋଗୁଁ ଠାକୁରଙ୍କ ମହାପ୍ରସାଦ କିଭଳି ଲାଗି ହେବ ସେନେଇ ବ୍ୟବସ୍ଥା କରାଯାଇଛି । ଏହି ଘଟଣା ପାଇଁ ସାଧାରଣ ଭକ୍ତଙ୍କ ଲାଗି ପ୍ରସ୍ତୁତ କରାଯାଉଥିବା ଅବଢ଼ାର ପରିମାଣ କମ କରାଯାଇଛି । ଯୁଗ୍ମ ତଦନ୍ତ କମିଟି ରୋଷ ଘର ଦାୟିତ୍ୱରେ ଥିବା ଲୋକଙ୍କୁ ପଚରାଉଚରା କରିଛି । ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏଠାରେ ପ୍ରଶ୍ନ ଉଠୁଛି, କଡା ସୁରକ୍ଷା ମଧ୍ୟରେ ଥିବା ଶ୍ରୀମନ୍ଦିରର ରୋଷଘରକୁ ବାହାର ଲୋକ ଗଲେ କେମିତି? ନା ଏହା ପଛରେ କିଛି ନ୍ୟସ୍ତସ୍ୱାର୍ଥ ସେବାୟତଙ୍କ ହାତ ରହିଛି? ତଦନ୍ତ ପରେ ଏହାର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ନିର୍ମାଣ ପ୍ରସଙ୍ଗ ଉପର ନଜର ହଟାଇବାକୁ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି ।