ମୋବାଇଲ୍ ଚାର୍ଜିଂବେଳେ ଚାଲିଗଲା ୪ ଜୀବନ

0

ମୋବାଇଲ୍ ଚାର୍ଜିଂ ବେଳେ ଚାଲିଗଲା ୪ ଜୀବନ । ଉତ୍ତରପ୍ରଦେଶର ମୀରଟ ମୋଦିପୁରମର ଜନତା କଲୋନୀରେ ଅଘଟଣ ଘଟିଛି । ସର୍ଟସର୍କିଟ ପରେ ମୋବାଇଲ୍ ବିସ୍ଫୋରଣ ହୋଇ ଘରେ ନିଆଁ ଲାଗି ଯାଇଥିଲା । ଭୟାବହ ଅଗ୍ନିକାଣ୍ଡରେ ଘରେ ଥିବା ୪ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲା । ମେଡିକାଲରେ ୪ ଛୁଆ ଆଖି ବୁଜିଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଚିକିତ୍ସାଧୀନ ଅବସ୍ଥାରେ ୨୪ ଘଣ୍ଟା ମଧ୍ୟରେ ୪ ଛୁଆଙ୍କ ମୃତ୍ୟୁ ହୋଇଛି । ଛୁଆର ମାଆକୁ ସଂକଟାପନ୍ନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ପିତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ଚାଲିଛି ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୪ ଛୁଆ ଘରେ ଖେଳୁଥିଲେ । ସେହି ସମୟରେ ମୋବାଇଲକୁ ଚାର୍ଜରେ ବସାଇବା ବେଳେ ସର୍ଟସର୍କିଟ୍ ହୋଇଥିଲା । ତାରରେ ନିଆଁ ଲାଗି ଯାଇ ମୋବାଇଲ୍ ଫାଟି ଯାଇଥିଲା । ଫଳରେ ଘରେ ଥିବା ଖଟରେ ନିଆଁ ଲାଗି ଚାରିଆଡ଼େ ଖେଳି ଯାଇଥିଲା । ନିଆଁ ଦେଖି ୪ ଛୁଆ ଚିତ୍କାର କରିଥିଲେ । ଏହା ପରେ ମାଆ ବବିତା ଓ ପଡ଼ୋଶୀ ୪ ଛୁଆଙ୍କୁ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ।

Leave a comment