୪ ଘଣ୍ଟା ଚାଲିଲା ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ, ପଢନ୍ତୁ କାହିଁକି କାନ୍ଦିଲେ ବିଦ୍ୟାଭାରତୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ୪ ଘଣ୍ଟା ଚାଲିଲା ଲାଏ ଡିଟେକ୍ସନ ଟେଷ୍ଟ । ଏହି ଟେଷ୍ଟ
ଭୁବନେଶ୍ୱର ଏସଏଫଏସଏଲରେ ଚାଲିଥିଲା । ବିଶେଷ କରି ଘଟଣା ଦିନ କଣ ଘଟିଥିଲା ସେ ନେଇ ୧୬୧ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ । ଏହି ଲାଏ ଡିଟେକ୍ସନ ଟେଷ୍ଟ ସମୟରେ ବିଦ୍ୟାଭାରତୀ କାନ୍ଦିପକାଇଥିବା ସୂଚନା ମିଳିଛି । ସେହିପରି ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକସନ ଟେଷ୍ଟ ହୋଇସାରିଛି ।
ସୂଚନା ଅନୁଯାୟୀ, ପ୍ରାୟ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ମୃତ ସୌମ୍ୟରଂଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ତଥ୍ୟ ଆଧାରରେ ତଦନ୍ତକାରୀ ସଂସ୍ଥା ଏଦିଗରେ ତଦନ୍ତକୁ ଆଗକୁ ବଢାଇବ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ସଫଳତା ପାଇନାହିଁ ।