ଓଡିଶାରୁ ଏଥର ହୋଇପାରନ୍ତି ୪କେନ୍ଦ୍ରମନ୍ତ୍ରୀ, ପଢନ୍ତୁ କାହା ସମ୍ଭାବନା ଅଧିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲରେ ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡିଶାରୁ ନିର୍ବାଚିତ ହୋଇଥିବା ୮ ବିଜେପି ସାଂସଦ ଯୋଗଦାନ ଦେଇଛନ୍ତି । ସେମାନେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ବଜେପି ୮ଟି ଲୋକସଭା ଜିତିବା ପରେ ବର୍ତ୍ତମାନ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଚାଲିଛି । ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶାରୁ ୩ରୁ ୪ ଜଣ ସାଂସଦ ମନ୍ତ୍ରୀ ହେବାର ସୁଯୋଗ ପାଇବେ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବାଲେଶ୍ଵର ସାଂସଦ ପ୍ରତାପ ଷଢଙ୍ଗୀଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ଚାଲିଛି । କାରଣ ଅପରାଜିତା ପୂର୍ବରୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ସେ ନିଜର ଅଭିଜ୍ଞତା ଓ ଲୋକ ସମ୍ପର୍କ ବଳରେ ରାଜ୍ୟରେ ବିଜେପିକୁ ଆଗକୁ ନେବାରେ ସଫଳ ହେବେ । ଜୁଏଲ ୨୦୧୪ ମସିହାରେ ଓଡିଶାରୁ ବିଜୟଲାଭ କରିଥିବା ଜଣେ ମାତ୍ର ବିଜେପି ପ୍ରାର୍ଥୀ ଥିଲେ । ସେ ମୋଦି ସରକାରରେ ମନ୍ତ୍ରୀପଦ ମଧ୍ୟ ପାଇଥିଲେ । ତେଣୁ ଏଥର ମଧ୍ୟ ତାଙ୍କୁ ପୁଣିଥରେ ମନ୍ତ୍ରୀ ହେବାର ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ସୁରେଶ ପୂଜାରୀ ଓ ପ୍ରତାପ ଷଢଙ୍ଗୀଙ୍କ ଦଳ ପ୍ରତି ଥିବା ତାଙ୍କର ନିଷ୍ଠାକୁ ଓ ପରିଶ୍ରମକୁ କେହି ଅସ୍ବୀକାର କରିପାରିବେ ନାହିଁ । ତେଣୁ ଦଳକୁ ଅଧିକ ମଜଭୁତ କରିବା ସହ ଆଗକୁ ଥିବା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୩ରୁ ୪ଜଣ ବିଜେପି ସାଂସଦଙ୍କୁ ମନ୍ତ୍ରୀପଦ ଦିଆଯିବ ବୋଲି ସାଧାରଣରେ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave a comment