କାହାକୁ କେନ୍ଦ୍ର ମନ୍ତ୍ରୀ କରିବାକୁ ଚାହୁଁଛି ତୃତୀୟ ମହଲା !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମିଳିଲାଣି ଆଭାସ । ୟୁପି ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପ୍ରାୟ ୨୮ଟି ଆସନ ଖାଲି ରହିଛି । ନୂତନ ମନ୍ତ୍ରୀ ପଦ ରେସ ରେ କଂଗ୍ରେସ ଛାଡି ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁଶୀଲ ମୋଦିଙ୍କ ନାମ ଆଗରେ ଥିଲା ବେଳେ ଓଡ଼ିଶାର ଦୁଇଟି ନାଁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେମାନେ ହେଲେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ବୈଜୟନ୍ତ ପଣ୍ଡା ଓ ଅଶ୍ୱିନୀ ବୈଷ୍ଣବ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ବିଜେପି କୋର କମିଟି କେନ୍ଦ୍ରମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିବା ବେଳେ ଅନ୍ୟ ଜଣକୁ ତୃତୀୟ ମହଲାରୁ ସମର୍ଥନ ମିଳୁଥିବା ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ବୈଜୟନ୍ତ ପଣ୍ଡା ଆସାମ ନିର୍ବାଚନ ଦାୟିତ୍ୱ ଥିଲେ । ସେଠାରେ ବିଜେପି ବିଜୟ ମୁକୁଟ ପିନ୍ଧିବାରେ ତାଙ୍କ ଭୂମିକାକୁ ନେଇ ଅନେକ ପ୍ରଶଂସା ସାଉଁଟି ଥିଲେ ବୈଜୟନ୍ତ । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ବିଜେପିରେ ଲୋକପ୍ରିୟତା ଧୀରେ ଧୀରେ କମିବାରେ ଲାଗିଛି । ଧର୍ମେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତୃତୀୟ ମହଲା ମଧ୍ୟରେ ଥିବା ଭିତିରି ବୁଝାମଣା ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି । ତେଣୁ ରାଜ୍ୟ ବିଜେପି କୋର କମିଟି ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ନେଇ ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ବିଜେଡ଼ି ସହଯୋଗରେ ବିଜେପି ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ପଦବୀ ମିଳୁ ବୋଲି ରାଜ୍ୟ ସରକାର ଙ୍କ ତୃତୀୟ ମହଲା ଏବଂ ଧର୍ମେନ୍ଦ୍ର ପ୍ରଧାନ ଚାହୁଁ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକିନା ଯଦି ଅଶ୍ୱିନୀ ମନ୍ତ୍ରୀ ହୁଅନ୍ତି ତେବେ ରାଜ୍ୟ ସରକାର ନିଜ ସ୍ୱାର୍ଥ ସାଧନ କରିବାରେ ସହାୟକ ହେବ ବୋଲି ସେମାନେ ଆଶାବାଦୀ ଥିବା ରାଜନୈତିକ ବିଶେଷଜ୍ଞ କହୁଛନ୍ତି । ସେହିପରି କିଛିଦିନ ତଳେ କେନ୍ଦ୍ର ଏବଂ ରାଜ୍ୟରେ ନିଜ ପତିଆରା ଦେଖାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡମଙ୍କ ଚମକ ମଳିନ ପଡିଯାଇଛି । ମନ୍ତ୍ରୀପଦ ରେସ ରେ ତାଙ୍କ ନାଁ ମଧ୍ୟ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।