ସେବାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ନିଅଣ୍ଟ ଘଟଣା , ୩ଶିକ୍ଷକଙ୍କୁ ନିଳମ୍ବନ କଲେ ଜିଲ୍ଲାପାଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେବାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ନିଅଣ୍ଟ ଘଟଣାରେ ୩ଶିକ୍ଷକଙ୍କୁ ନିଳମ୍ବନ କଲେ ଜିଲ୍ଲାପାଳ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ର ମାନିଗାଁ ଓ ଧନଶୁଲି ସେବାଶ୍ରମ ବିଦ୍ୟାଳୟରେ ଘଟିଛି । ନିଳମ୍ବିତ ହୋଇଥିବା ଶିକ୍ଷକ ମାନେ ହେଲେ ପାପଡାହାଣ୍ଡି ବ୍ଲକ ର ମାନିଗାଁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁବାଷିନି କରକରା ଓ ସହକାରୀ ଶିକ୍ଷକ କେଦାର ସ୍ବାଇଁ ଏବଂ ଧନଶୁଲି ବିଦ୍ୟାଳୟର ସହକାରୀ ଶିକ୍ଷକ ନବ କିଶୋର ମାଟି ।
ସୂଚନା ଅନୁଯାୟୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଗତକାଲି ପାପଡାହାଣ୍ଡି ବ୍ଲକର ମାନିଗାଁ ସେବାଶ୍ରମ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ୨୬୮ ଜଣ ଛାତ୍ରଛାତ୍ରୀ ଛାତ୍ରାବାସରେ ରହୁଥିବା ବେଳେ ଗତକାଲି ୫୮ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ସକାଳ ୧୦ ଟାରେ ଖାଦ୍ୟ ପରିଷିବା ବେଳେ ୨୪ ଜଣ ପିଲାଙ୍କୁ ଖାଦ୍ୟ ନିଅଣ୍ଟ ହୋଇ ଥିଲା । ଏ ନେଇ ସେ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ଜଣାଇଥିଲେ । ଗତକାଲି ଜିଲ୍ଲାପରିଷଦ ବୈଠକରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୂର୍ବରୁ ବି ଗତ ୨୯ ତାରିଖ ରେ ସେହି ବ୍ଲକ ର ଧନଶୁଲି ସେବାଶ୍ରମ ବିଦ୍ୟାଳୟରେ ବିଧାୟକ ଶ୍ରୀ ରନ୍ଧାରୀ ଗ୍ରସ୍ଥ କରିବା ବେଳେ ୬୬ ଜଣ ଅନ୍ତେବାସୀ ଖାଦ୍ୟ ରେ ଡାଲି ଅଣ୍ଟିନଥିଲା । ସେନେଇ ବି ବିଧାୟକ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ଏ ସମସ୍ତ ଘଟଣା ସଂକ୍ରାନ୍ତରେ ବ୍ଲକ ମଙ୍ଗଳ ଅଧିକାରୀ ବିଭୁ ଦତ୍ତ ମହାନ୍ତି ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଜିଲ୍ଲାପାଳ ଏହି ୩ ଜଣ ଶିକ୍ଷକଙ୍କୁ ନିଳମ୍ବନ କରିଛନ୍ତି ।