ତିନି ଦଳରେ ତିନି ଭଉଣୀ, ହେବ ନିଆରା ଲଢେଇ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ନିର୍ବାଚନ ଯେତେ ନିକଟତ୍ତର ହେଉଛି ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କେଉଁଠି ଭାଇ ଭାଇ ବିପକ୍ଷରେ ଛିଡା ହୋଇଛି ତ କେଉଁଠି ସ୍ତ୍ରୀ ସ୍ୱାମୀ ବିପକ୍ଷରେ । ମାତ୍ର ଏବେ ଏକ ରୋଚକ ତଥ୍ୟ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ତିନୋଟି ଦଳରୁ ତିନି ଭଉଣୀ ଛିଡା ହୋଇଛନ୍ତି । ବର୍ତ୍ତମାନ ପ୍ରଚାର ମଧ୍ୟ ଜୋର ଧରିବାକୁ ଲାଗିଲାଣି । କାରଣ କୋଭିଡ କଟକଣା କୋହଳ ହେବାପରେ ମାଳମାଳ ନେତା ଓ କର୍ମୀ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ କଳ, ବଳ ଏବଂ କୌଶଳ ଲଗାଇବା ଆରମ୍ଭ କଲେଣି । ତେଣୁ ନିର୍ବାଚନ ଫଳାଫଳ ରୋଚକ ହେବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ତିନି ସମ୍ପର୍କୀୟ ଭଉଣୀ ତିନି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓଲ୍ଲାହିଛନ୍ତି । ସେମାନେ ହେଲେ ଡାବୁଗାଁର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା ମାଝୀଙ୍କୁ କଂଗ୍ରେସ ପାପଡାହାଣ୍ଡି ଜୋନ-୨ ର ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବେ ତାଙ୍କ ବଡ ମାଆଙ୍କ ଝିଅ ଭାନୁମତି ପୂଜାରୀକୁ ବିଜୁ ଜନତା ଦଳ ପାପଡାହାଣ୍ଡି ଜୋନ -୨ ର ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମାନ ଢଙ୍ଗରେ ବିଜେପି ମଧ୍ୟ ଏହି ଆସନ ପାଇଁ ଭାନୁମତି ପୂଜାରୀଙ୍କ ସମ୍ପର୍କୀୟ ଭଉଣୀ ଲକ୍ଷ୍ମୀ ଭତ୍ରାଙ୍କୁ ଏହି ଆସନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛି । ଦେଖିବାକୁ ବାକି ରହିଲା କାହା ପଲ୍ଲା ଭାରି ରହିବ । କିଏ ନିର୍ବାଚନ ବୈତରଣୀ ପାର କରିବ ।
ସୂଚନା ଥାଉକି: ମୈଦଲପୁର, ଗାଦବା କତରା, ମାଝୀଗୁଡା, ନୁଆକୋଟ, ସେମଳା, ତୁମ୍ବର୍ଲା, ସାନବାର୍ଲି, କଣ୍ଟାମାଳ ଓ ଚନ୍ଦ୍ରପୁରଆଦି ୯ ଟି ପଞ୍ଚାୟତକୁ ନେଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗଠିତ ।