ଇରାକରେ ଗ୍ୟାସ ପାଇପ ବିସ୍ଫୋରଣ: ୩ ମୃତ, ୫୦ରୁ ଅଧିକ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଇରାକର ସାମାୱା ଅଞ୍ଚଳରେ ଏକ ଗ୍ୟାସ ପାଇପ ଲିକ ହୋଇ ବିସ୍ଫୋରଣ ହୋଇଛି। ପୁଲିସ ସୂଚନା ଅନୁସାରେ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି।ଦକ୍ଷିଣ ବାଗଦାଦଠୁ ୨୭୦ କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିବାବେଳେ ଗ୍ୟାସ ପାଇପଟି ମିଲିସିଆ କ୍ୟାମ୍ପ ଦେଇ ଯାଇଥିଲା। ଫଳରେ ୯ ମିଲିସିଆ ଯୋଦ୍ଧା ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ କର୍ମଚାରୀ ଗ୍ୟାସକୁ ବନ୍ଦ କରି ନିଆଁକୁ ଆୟତ୍ତ କରିଛନ୍ତି।

ସେହିପରି ଘଟଣାସ୍ଥଳକୁ ତୁରନ୍ତ ଯାନ୍ତ୍ରିକ କର୍ମଚାରୀ ପହଞ୍ଚି କ୍ଷତି ହୋଇଥିବା ପାଇପ ଲାଇନର ମରାମତି କରିବା ସହିତ କିଛି ଘଣ୍ଟା ମଧ୍ୟରେ ଅନ୍ୟ ପାଇପଲାଇନ ଦ୍ୱାରା ପାୱାର ଷ୍ଟେସନକୁ ଗ୍ୟାସ ସେବା ଆରମ୍ଭ କରାଯିବ ବୋଲି ତୈଳ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ଏହି ବିସ୍ଫୋରଣର କାରଣ ଯାଞ୍ଚ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯିବ ବୋଲି ଡେପୁଟି ତୈଳ ମନ୍ତ୍ରୀ ହାମିଦ ୟୁନିସ୍ କହିଛନ୍ତି।

Leave a comment