ଗିରଫ ହେଲେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ୩ ବାଣୀବିହାର ଛାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାପ ପରେ ଆକ୍ସନ ମୁଡ ରେ ପୋଲିସ ଡିଜି । ଗତକାଲି ରାତିରେ ଗିରଫ ହେଲେ ସିନେମା ହଲ ଭିତରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ୩ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର । ସେମାନେ ହେଲେ ଅନନ୍ତ ସାମନ୍ତରାୟ, ସୁବ୍ରତ ବିଶ୍ୱାଳ ଓ ସୌମ୍ୟ ରଞ୍ଜନ ମହାପାତ୍ର । ଏ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଅଭିଯୋଗ ପରେ ମଧ୍ୟ ପୋଲିସର ନିଷ୍କ୍ରିୟତା କୁ ନେଇ ସାମ୍ବାଦିକ ସୁରକ୍ଷା ମଞ୍ଚର ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକିଥିଲା । ୫୦ରୁ ଅଧିକ କର୍ମକର୍ତ୍ତା ଗତକାଲି ସନ୍ଧ୍ୟାରେ ଡିଜିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୨୬ତାରିଖ ଦିନ ଦୈନିକ ଖବରକାଗଜ ପ୍ରମୟର କାର୍ଯ୍ୟରତ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଜଣେ ବନ୍ଧୁଙ୍କ ସହ ଆଚାର୍ଯ୍ୟବିହାର ଛକ ନିକଟସ୍ଥ ମହାରାଜା ସିନେମା ହଲରେ ସିନେମା ଦେଖୁଥିଲେ । ଏହି ସମୟରେ ହଲରେ ଉପସ୍ଥିତ ଥିବା କିଛି ଅସାମାଜିକ ଯୁବକ ହୋ-ହଲ୍ଲା କରିବା ସହ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ ପାସ କରୁଥିଲେ । ଏହାକୁ ଦେଖି କପିଳେନ୍ଦ୍ର ଯୁବକ ମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ । ଏହାପରେ ସେମାନେ କପିଳେନ୍ଦ୍ରଙ୍କୁ ସିଟରୁ ଟାଣି ତଳେ ପକାଇ ଗୋଇଠା ମାରିଥିଲେ । ସେ ସାମ୍ବାଦିକ ବୋଲି ପରିଚୟ ଦେବାପରେ ମଧ୍ୟ ସେମାନେ ତାଙ୍କୁ ମାଡ ମାରି ଚାଲିଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ କପିଳେନ୍ଦ୍ରଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲା, ଅନ୍ୟଜଣେ ତାଙ୍କ ତଣ୍ଟି ଉପରେ ଚଢ଼ି ସୁନାଚେନ ଲୁଟି ନେବାସହ ତାଙ୍କ ଆଇ କାର୍ଡକୁ ଫୋଫାଡ଼ି ଦେଇଥିଲା । କେବଳ ଏତିକିରେ ସାରିନଥିଲା ତାଙ୍କ ଦୌରାତ୍ମ୍ୟ । ସେମାନେ ଆହୁରି ମାଡ଼ ଧମକ ଦେଇ କହିଥିଲେ ଥାନାରେ ଯାଇ ଅଭିଯୋଗ କଲେ ଘରେ ପଶି ହତ୍ୟା କରିବୁ । ସହୀଦନଗର ଥାନାରେ ଏନେଇ କପିଳେନ୍ଦ୍ର ଅଭିଯୋଗ କରିଥିଲେ । ଅଭିଯୁକ୍ତ ଯୁବକ ଶାସକ ଦଳର ହୋଇଥିବାରୁ ଏହି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ପ୍ରେସମିଟରେ ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା ।

Leave a comment