ବିଦ୍ରୋହୀ-ସେନା ମୁହାଁମୁହିଁ, ୨୯ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଠାତ ଅଶାନ୍ତ ହୋଇ ଉଠିଛି ପାକିସ୍ତାନର ବେଲୁଚିସ୍ଥାନ । ଆଫଗାନିସ୍ତାନର ସୀମାରେ ଥିବା ଏହି ଅଞ୍ଚଳ ଏବେ ପାକିସ୍ତାନ ହାତରୁ ଖସିବା ଆରମ୍ଭ ହୋଇଛି। ଲଗାତର ଭାବେ ସେନା ପ୍ରତି ଆକ୍ରମଣ ମଧ୍ୟ ବଢୁଛି । ଏହାମଧ୍ୟରେ ଶନିବାର ଉଭୟ ପକ୍ଷ ମଧ୍ୟରେ ସଙ୍ଘର୍ଷ ଘଟି ୨୯ ଜଣ ପ୍ରାଣ ହରାଇଛନ୍ତି । ପାକ୍ ସେନା ୨୦ ବିଦ୍ରୋହୀଙ୍କୁ ନିପାତ କରିଥିବା ବେଳେ ବିଦ୍ରୋହୀମାନେ ମଧ୍ୟ ୯ ପାକ୍ ରେଞ୍ଜର୍ସଙ୍କୁ ହତ୍ୟା କରିଛନ୍ତି ।
ପାକ୍ ସେନାର କହିବାନୁସାରେ, କେବଳ ନୌଶକି ପ୍ରାନ୍ତରେ ୯ ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ତେବେ ଜଣେ ଅଧିକାରୀଙ୍କ ସହ ୪ ଜଣ ସୈନିକ ମଧ୍ୟ ନିହତ ହୋଇଛନ୍ତି । ବିଦ୍ରୋହୀଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଛି । କିନ୍ତୁ ବିଦ୍ରୋହୀମାନେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।
ଏହାପୂର୍ବରୁ ଶୁକ୍ରବାର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଟ୍ୱିଟ୍ କରି ପାକିସ୍ତାନ ସେନାକୁ ଶୁଭେଚ୍ଛା ଜମାଇଥିଲେ । ପାକ୍ ସେନା ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିବା ସେ କହିଥିଲେ ।
ଜାନୁଆରୀ ୨୮ ତାରିଖରେ ଡେରା ବୁଗାତିର ସୁଇ ଅଞ୍ଚଳରେ ବଡ ବିସ୍ଫୋରଣ ହୋଇଥିଲା । ଏଥିରେ ପାକ୍ ସେନାର ୩ ଯବାନ ପ୍ରାଣ ହରାଇଥିଲେ । ଏହାସହ ୮ ଜଣ ଆହତ ମଧ୍ୟ ହୋଇଥିଲେ । ୨ ଦିନ ପରେ ଅର୍ଥାତ ଜାନୁଆରୀ ୩୦ରେ ଜାଫରାବାଦ ଜିଲ୍ଲାର ଡେରା ଅଲ୍ଲାହକାରରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨ ଯବାନ ନିହତ ହେବା ସହ ୧୭ ଜଣ ଆହତ ହୋଇଥିଲେ ।