ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୨ ସମୟରେ ୨୦୫ଟି ସ୍ବତନ୍ତ୍ର ଟ୍ରେନ୍ ଚାଲିବ। ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ ହେବ ବୋଲି ପୂର୍ବାନୁମାନ କରାଯାଉଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି।

ପୂର୍ବରୁ ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ରହୁଥିଲା। କିନ୍ତୁ ଏଥର ଅଧିକ ୫ ଲକ୍ଷ ଲୋକ ଭିଡ ହୋଇପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିବାରୁ ସ୍ବତନ୍ତ୍ର ଟ୍ରେନ୍ ସଂଖ୍ୟା ବଢ଼ାଇ ଦିଆଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ସ୍ବତନ୍ତ୍ର ଟ୍ରେନ୍ ଗୁଡ଼ିକ ଚାଲିବ। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୂର୍ବ ବର୍ଷ ଗୁଡ଼ିକର ତୁଳନାରେ ଚଳିତ ଥର ଅଧିକ ସ୍ବତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ଗସ୍ତରେ ଆସି କହିଛନ୍ତି ଯେ, କୋଭିଡ-୧୯ ପାଇଁ ବନ୍ଦ ଥିବା ପାସେଞ୍ଜର ଟ୍ରେନ୍ଗୁଡ଼ିକ ପୁଣି ଥରେ ଚାଲିବ। ରଥଯାତ୍ରା ସମୟରେ ଏହି ପାସେଞ୍ଜର ଟ୍ରେନ୍ଗୁଡ଼ିକ ପୁଣି ଥରେ ଚାଲିବା ଦ୍ବାରା ଗ୍ରାମାଞ୍ଚଳର ଲୋକେ ସହଜରେ ପୁରୀକୁ ଆସି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖି ପାରିବେ।

Leave a comment