ସରକାରଙ୍କର ଆଉ ଏକ ବଡ ଘୋଷଣା, ୨୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧୁବାବୁ ପେନସନ ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାକୁ ୨୦୦ ଟଙ୍କା ଵୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଏହି ଭତ୍ତା ବୃଦ୍ଧି ବିଧବା, ଭିନ୍ନକ୍ଷମ,ବୁଢ଼ାବୁଢ଼ୀ ଓ ଅସହାୟ ମହିଳାଙ୍କ ପାଇଁ ଏକ ଖୁସିର ଖବର ନେଇ ଆସିଛି । ଏଥର ୩ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀମନେ ୫ଶହ ଟଙ୍କା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଏଣିକି ୫୦୦ ଟଙ୍କା ବଦଳରେ ମାସିକ ୭ଶହ ଟଙ୍କା ଭତ୍ତା ପାଇବେ । ଆଗାମି ଫେବ୍ରୁଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଫଳରେ ରାଜ୍ୟର ୪୮ଲକ୍ଷ ଲୋକ ଲାଭବାନ ହେବେ ।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ‘ସାମାଜିକ ସୁରକ୍ଷା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ସମାଜର ଗରିବ ଲୋକଙ୍କ କଲ୍ୟାଣ କଥା ମୁଁ ସବୁବେଳେ ଚିନ୍ତା କରିଛି । ମୁଁ ଚାହେଁ ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀ ସାମାଜି ସୁରକ୍ଷା ପାଆନ୍ତୁ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।