ଗାଲଓ୍ୱାନ ଉପତ୍ୟାକାରେ ସଂଘର୍ଷ: ୨୦ ଭାରତୀୟ ଯବାନ ସହିଦ, ଚୀନ୍‌ ର ୪୩ ମୃତାହତ ସୂଚନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବ ଲଦ୍ଦାଖର ଗାଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହେବା ଫଳରେ ଅତି କମରେ ୨୦ ଜଣ ଭାରତୀୟ ଯବାନ ସହିଦ୍‌ ହୋଇଥିବା ସୂଚନା ମିଳିଛି । ଜାତୀୟ ଖବର ସରବହରା ସଂସ୍ଥା ଏଏନ୍‌ଆଇ ପକ୍ଷରୁ ଏ ସଂକ୍ରାନ୍ତରେ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ସେହିପରି ଚୀନ୍‌ ପକ୍ଷର ଅତିକମ୍‌ରେ ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ ପ୍ରକାଶ କରିଥିବାରୁ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ତେବେ ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ବୋଲି ସୂତ୍ରରୁ ପ୍ରକାଶ ।

ସୋମବାର ରାତିରେ ଲଦ୍ଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ୨ ଯବାନ ହାବିଲଦାର କେ. ପାଲାନି ଓ ସୁନୀଲ କୁମାରଙ୍କ ସମେତ ଜଣେ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ୍‌ ହୋଇଥିଲେ ବୋଲି ଭାରତୀୟ ସେନା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ।

ସେହିପରି ଚୀନ୍‌ ପକ୍ଷର ୫ଜଣ ସୈନିକ ମୃତ୍ୟୁବରଣ କରିଥିବା ଚୀନ୍‌ ଗଣମାଧ୍ୟମ ପ୍ରକାଶ କରିଥିଲା । ମାତ୍ର ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ବାବଦରେ ବୟାନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ, ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ବୟାନରେ କୁହାଯାଇଛି ଯେ ଜୁନ୍‌ ୧୫ ରାତିରେ ଚୀନ୍‌ ସେନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିଲା । ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ଦୃଢ ପ୍ରତିବାଦ କରାଯିବାରୁ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯଦି ଚୀନ୍‌ ପକ୍ଷ ପୂର୍ବ ବୁଝାମଣାକୁ ପାଳନ କରିଥାନ୍ତେ ତେବେ ଏହି ଘଟଣାକୁ ଅତି ସହଜରେ ଏଡ଼ାଇ ଦିଆଯାଇପାରିଥାନ୍ତା । ଭାରତ ସବୁବେଳେ ଏଲଏସି ଏପଟେ ରହି ଦାୟିତ୍ୱସମ୍ପନ୍ନ ଦେଶଭାବରେ ନିଜର କାର୍ଯ୍ୟ କରିଆସିଛି । ଚୀନ୍‌ ପକ୍ଷରୁ ମଧ୍ୟ ଏହାକୁ ଯଥାରୀତି ସମ୍ମାନ ଦିଆଯିବା ଉଚିତ୍‌ ।
ସୀମାରେ ଦେଖାଦେଇଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଭାରତ ଉଦ୍ୟମ କରୁଥିବା ବେଳେ ଚୀନ୍ ପକ୍ଷରୁ ଭାରତୀୟ ଅଞ୍ଚଳଗୁଡ଼ିକୁ ଦଖଲ କରିବାର ଅପଚେଷ୍ଟା କରାଯାଉଛି । କିନ୍ତୁ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତ ପାଇଁ ସମସ୍ତ ବିକଳ୍ପ ଉନ୍ମୁକ୍ତ ରହିଛି ବୋଲି ପ୍ରକାଶ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

Leave a comment