ଢ଼େଙ୍କାନାଳରେ ୨ ହଜାର କୋଟିର ପ୍ରକଳ୍ପ ଉଦ୍ଘଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ସହ କାଳିଆ ଯୋଜନାର ସଫଳତା ସମ୍ପର୍କରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ୪ଟା୫ରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇ ହିନ୍ଦୋଳ ବ୍ଲକ ସାତମାଇଲସ୍ଥିତ ବହୁବର ପଡ଼ିଆଠାରେ ପହଞ୍ଚିଥିଲେ ।
ସେଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ଆୟୋଜିତ ବିଶାଳ ଚାଷୀ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲାରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏଥିସହ କାଳିଆ ଯୋଜନାରେ ଜିଲ୍ଲାର ୧୧,୯୪୯ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଏହା ହେଉଛି ଏକ ଐତିହାସିକ ଯୋଜନା ।
ଚାଷୀ, ମହିଳା, ଯୁବକଙ୍କୁ ସଶକ୍ତୀକରଣ ଆମର ଲକ୍ଷ୍ୟ ବୋଲି ସେ ଅଭିଭାଷଣ ରଖିଥିଲେ ।