ରାଜଧାନୀରେ ଚାଞ୍ଚଲ୍ୟ; ୨ ନାବାଳିକାଙ୍କୁ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ

0

ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ ।

ରାଜଧାନୀର ଅନ୍ୟତମ ପଟିଆ ରେଳ ଷ୍ଟେସନ ନିକଟରେ ଦୁଇ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଜଣଙ୍କର ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କର ୧୪ ବର୍ଷ ହୋଇଥିବା ସୂଚନା ମିଳିଛି । ହକି ବିଶ୍ବକପ୍ ପାଇଁ ରଙ୍ଗୀନ ଆଲୋକମାଳାରେ ଝଟକୁଥିବା ରାଜଧାନୀରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିବା ଏବେ ଚାରିଆଡେ ଆଲୋଡନ ଖେଳାଇଛି ।

ଗଣଦୁଷ୍କର୍ମ ପରେ ଦୁଇ ପୀଡିତା ଅଭିଯୁକ୍ତଙ୍କ କବଳରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି । ଏହାସହିତ ସ୍ଥାନୀୟ ଏସିପି ଓ ଇନଫୋସିଟି ଥାନା ସହାୟତାରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ କେହି ଅଭିଯୁକ୍ତ ଧରାପଡିନଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖିଛି ।

ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ସମୟରେ ଦୁଇ ନାବାଳିକା ପଟିଆ ରେଳ ଷ୍ଟେସନ କଡ଼ରେ ବୁଲୁଥିଲେ । ଏହି ସମୟରେ ସେଠାରେ ଥିବା କିଛି ଅସାମାଜିକ ଯୁବକ ସେମାନଙ୍କୁ ଅପହରଣ କରି ରେଳ ଓଭରବ୍ରିଜ ପାଖକୁ ନେଇଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଗୋଡ ହାତ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିଲେ । ପୀଡିତା ଯନ୍ତ୍ରଣାରେ ଛଟପଟ ହୋଇ ଛାଡିଦେବାକୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏପରିକି ଦୁଷ୍କର୍ମ ପରେ ଏକଥା କାହାକୁ ଜଣାଇଲେ ସେମାନେ ଦୁହିଁଙ୍କୁ ଛାଡିବେନି ବୋଲି ଧମକ ଦେଇଥିଲେ ।

ସକାଳେ ଦୁଇ ପୀଡିତା ସେଠାରୁ ଖସି ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପରିବାର ଲୋକେ ସେହି ଯୁବକମାନଙ୍କୁ ପଚରାଉଚରା କରିବାରୁ ଓଲଟା ସେମାନେ କିଛି ଟଙ୍କା ଦେଇ ମୁହଁ ବନ୍ଦ ରଖିବାକୁ ଧମକାଇ ଥିଲେ । ଏନେଇ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଜଣାଇବା ପରେ ଥାନା ଅଭିଯୋଗ କରିଥିଲେ । ଘଟଣାଟି ପଟିଆ ରେଳ ଲାଇନ ପାଖରେ ଘଟିଥିବାରୁ ଏନେଇ ଜିଆରପି ଥାନାରେ ଅଭିଯୋଗ ହୋଇଛି । ଆଜି ଦୁଇ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା ହେବ ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଚଳାଇଛି ।

Leave a comment