ଫେବ୍ରୁଆରୀରେ ହେବ +୨ ବୋର୍ଡ ପରୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେବ୍ରୁଆରୀ ୧ତାରିଖରୁ ବିହାରରେ ଆରମ୍ଭ ହେବ +୨ ବୋର୍ଡ ପରୀକ୍ଷା । ଦେଶରେ କରୋନା ସଂକ୍ରମଣ କମିବାକୁ ଲାଗିଛି । ଏହି ସମୟରେ ବିହାର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋଭିଡ ଗାଇଡ ଲାଇନ ଅନୁଯାୟୀ ଆରମ୍ଭ ହେବାକୁ ଯାଉଛି +୨ ବୋର୍ଡ ପରୀକ୍ଷା । ବିହାର ବିଦ୍ଯାଳୟ ପରୀକ୍ଷା କମିଟି ତଥା ( BSEB)ର ଦ୍ୱାଦଶ ବାର୍ଷିକ ବୋର୍ଡ ପରୀକ୍ଷା ଫେବୃଆରୀ ୧ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ପର୍ଯ୍ଯନ୍ତ ଚାଲିବ । ପରୀକ୍ଷା ପରିଚାଳନା ଏବଂ ପ୍ରାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ BSEB ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଆରମ୍ଭ କରିଛି। ସେହିପରି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ୧୬ ଜାନୁୟାରୀ ୨୦୨୨ ରେ ଜାରି ହୋଇସାରିଛି। ଆଡମିଟ୍ କାର୍ଡ କେବଳ ସ୍କୁଲ୍ ପ୍ରିନ୍ସିପାଲ୍ ଦ୍ୱାରା ଡାଉନଲୋଡ୍ ହୋଇପାରିବ। ଯେଉଁ ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ନିଜ ନିଜ ବିଦ୍ୟାଳୟରୁ ଆଡମିଟ୍ କାର୍ଡର ହାର୍ଡ କପି ନେଇ ନାହାଁନ୍ତି, ସେମାନେ ଏହାକୁ ଶୀଘ୍ର ନେବାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟର ୧୪୭୧ ପରୀକ୍ଷା କେନ୍ଦ୍ରରେ +୨ପରୀକ୍ଷା କରାଯିବ। ବୋର୍ଡ ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ। ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀରେ ମୋଟ ୧୩,୪୫,୯୩୯ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି। ଏଥିମଧ୍ୟରୁ ୬,୪୮, ୫୧୮ ଛାତ୍ରୀ ହୋଇଥିବାବେଳେ ୬,୯୭,୪୨୧ ଛାତ୍ର ଅଟନ୍ତି।
ପରୀକ୍ଷାର ସଫଳ ପରିଚାଳନା ପାଇଁ ବିହାର ସରକାରଙ୍କ ଦ୍ୱାରା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ମଧ୍ୟରେ ୧୪୪ ଧାରା ଲାଗୁ ହୋଇଛି । ଏଥି ସହିତ କୋଭିଡର ପ୍ରତିରୋଧ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ପରୀକ୍ଷା ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଛାତ୍ର ଏବଂ ଡ୍ୟୁଟି କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।