ପ୍ରଥମଥର ରାଉରକେଲା ରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମଥର ସୁନ୍ଦରଗଡ଼ରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଦୁଇଜଣ ଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି । ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡା ରାଜନଗର ଅଞ୍ଚଳର ମହିଳା ଜଣକ ବାହାର ରାଜ୍ୟରୁ ଫେରିଥିଲେ । ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ କ୍ୱାରେନଟାଇନରେ ରହିଥିଲେ । ଗତକାଲି ତାଙ୍କର ସାମ୍ପୁଲ ପଜିଟିଭ ଆସିଥିଲା । ତେବେ ୪ର୍ଥ ବ୍ୟକ୍ତି ଜଣକ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇପାରିନାହିଁ । ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଉରକେଲାର ବିଶ୍ରା ଓ କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳର କିଛି ଗାଁକୁ ସିଲ କରାଯିବା ପ୍ରକିୟା ଆରମ୍ଭ ହୋଇଛି । ତେବେ ରାଉରକେଲାରେ କରୋନା ଆକ୍ରାନ୍ତ ପ୍ରଥମ ହୋଥିବା ବେଳେ କେନ୍ଦ୍ରାପଡାରୁ ଏହା ଦ୍ୱିତୀୟ ରୋଗୀ ବୋଲି ଜଣାପଡିଛି । ପୂର୍ବରୁ କେନ୍ଦ୍ରାପଡାର ଆଳି ଅଞ୍ଚଳରୁ ଜଣେ ଦୁବାଇ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଥିଲେ ।
ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ । ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ ୱେବସାଇଡରେ କେବଳ କୁହାଯାଇଥିଲା ଯେ ଆଉ ୪ଟି ମାମଲା ଆସିଛି ।
ସୂଚନାଯୋଗ୍ୟ, ଆଉ ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି । ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।
ପଶ୍ଚିମ ଓଡ଼ିଶାରେ ପ୍ରଥମେ କଳାହାଣ୍ଡିରୁ ଜଣେ ଯୁବକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ଏଥିରେ ଆକ୍ରାନ୍ତ ହୋଇଥିଲେ । କଳାହାଣ୍ଡିରୁ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ।