ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କିଏ ଲଢିବେ କେଉଁଠୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ସ୍ଥାନରୁ ଯଥା ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଓ ବରଗଡ଼ ଜିଲ୍ଲାର ବିଜେପୁରରୁ ନିର୍ବାଚନ ଲଢ଼ିବେ।

ମନ୍ତ୍ରୀ ରମେଶ ମାଝିଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯାଇଛି, କୋରାପୁଟରୁ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ, ବରଗଡ଼ରୁ ପ୍ରସନ୍ନ ଆଚାର୍ଯ୍ୟ, ଆସିକାରୁ ପ୍ରମିଳା ବିଷୋୟୀ ଓ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ । ତାଙ୍କ ବଦଳରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି।

ଅପରପକ୍ଷରେ ବିଧାନସଭା ଆସନ ପାଇଁ ମଧ୍ୟ ନାଁ ଘୋଷଣା କରାଯାଇଛି । ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣାରୁ ଦୁଷ୍ମନ୍ତ ନାଏକ, ଖରିଆରୁ ଲମ୍ବୋଧର ନିହାଲ ଓ ନର୍ଲାରୁ ଭୂପିନ୍ଦର ସିଂ ପ୍ରାର୍ଥୀ ହୋଇଛନ୍ତି।

Leave a comment