୧୯% ପରିବାର ଶୌଚାଳୟ ସୁବିଧାରୁ ବଞ୍ଚିତ

ଜାତୀୟ ସର୍ଭେ ରିପୋର୍ଟ

0

ନୂଆଦିଲ୍ଲୀ : ଭାରତ ସରକାର ଯଦିଓ ୨୦୧୯ରୁ ଦେଶକୁ ବାହ୍ୟ ମଳମୁକ୍ତ ଘୋଷଣା କରିସାରିଛନ୍ତି, ତେବେ ଏହି ଘୋଷଣା ଏପର୍ଯ୍ୟନ୍ତ ଶହେ ପ୍ରତିଶତ ସତ ପ୍ରମାଣିତ ହୋଇପାରିନାହିଁ । ନିକଟରେ ଏନ୍ଏଫ୍ଏଚ୍ଏସ୍ (ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୧୯ ପ୍ରତିଶତ ପରିବାର ଶୌଚାଳୟ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଅର୍ଥାତ ଘରେ ଶୌଚାଳୟ ନଥିବାରୁ ସେମାନଙ୍କୁ ନିତ୍ୟକର୍ମ ପାଇଁ ବାହାରକୁ ଯିବାକୁ ପଡୁଛି । ୨୦୧୫ ତୁଳନାରେ ବାହ୍ୟ ମଳତ୍ୟାଗକାରୀଙ୍କ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ଏହି ଲକ୍ଷ୍ୟ ସମ୍ପୂର୍ଣ୍ଣଭାବେ ପୂରଣ ହୋଇପାରିନାହିଁ ।

୨୦୧୫-୧୬ରେ ଏମାନଙ୍କ ସଂଖ୍ୟା ୩୯ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ଏହା ୧୯ ପ୍ରତିଶତକୁ ହ୍ରାସ ପାଇଛି । ଏହି ପ୍ରସଙ୍ଗରେ ବିହାର ସବୁଠାରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏବେମଧ୍ୟ ବିହାରର ୬୨ ପ୍ରତିଶତ ପରିବାରକୁ ଶୌଚାଳୟ ସୁବିଧା ମିଳିପାରୁନାହିଁ । ଏହାପଛକୁ ଝାଡ଼ଖଣ୍ଡ ଦ୍ୱିତୀୟ ଏବଂ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ରିପୋର୍ଟ ଅନୁଯାୟୀ ୬୯ ପ୍ରତିଶତ ପରିବାର ଅନ୍ୟ କୌଣସି ପରିବାର ସହ ଶୌଚାଳୟ ବ୍ୟବହାର କରୁନଥିବାବେଳେ କେବଳ ୮ ପ୍ରତିଶତ ପରିବାର ଉନ୍ନତ ଧରଣର ଶୌଚାଳୟ ସୁବିଧା ପାଉଛନ୍ତି । ଦେଶରେ ୮୩ ପ୍ରତିଶତ ପରିବାରକୁ ଶୌଚାଳୟ ସୁବିଧା ମିଳୁଛି । ଏମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ପରିବାର ଉନ୍ନତ ମାନର ଶୌଚାଳୟ ବ୍ୟବହାର କରୁଛନ୍ତି । ଅନ୍ୟ କାହା ସହ ଗୋଟିଏ ଶୌଚାଳୟ ବ୍ୟବହାର କରୁନଥିବାରୁ ଏଭଳି ପରିବାର ଲୋକେ ହଇଜା, ଟାଇଫଏଡ କିମ୍ବା ଅନ୍ୟ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାରୁ ବର୍ତ୍ତିଯାଉଛନ୍ତି । ଅପରପକ୍ଷରେ ସହରାଞ୍ଚଳରେ ୧୧ ପ୍ରତିଶତ ପରିବାର ଯୌଥଭାବେ ଶୌଚାଳୟ ବ୍ୟବହାର କରୁଛନ୍ତି । ଗ୍ରାମାଞ୍ଚଳରେ ଏଭଳି ପରିବାର ସଂଖ୍ୟା ଅବଶ୍ୟ ୭ ପ୍ରତିଶତ ବୋଲି ରିପୋର୍ଟରୁ ଜଣାପଡିଛି ।

Leave a comment