ଓଡ଼ିଶା ଟୁଡେ’ର ୧୮ତମ ବାର୍ଷିକ ଉତ୍ସବ ସମାଜ ପରିବର୍ତ୍ତନରେ ସାମ୍ବାଦିକଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃଣମୂଳସ୍ତରରେ ଘଟୁଥିବା ବିଭିନ୍ନ ସମସ୍ୟା ଓ ଅବହେଳିତ ଲୋକଙ୍କ ଖବରକୁ ସମ୍ବାଦର ମୁଖ୍ୟସ୍ରୋତରେ ସ୍ଥାନ ଦେଇ ତାର ସମାଧାନ କରିପାରିଲେ ସାମ୍ବାଦିକତାର ଗୁରୁଦାୟିତ୍ୱ ବହନ କଲା ବୋଲି କହିପାରିବା । କାରଣ ସମାଜ ପରିବର୍ତ୍ତନରେ ସାମ୍ବାଦିକମାନଙ୍କ-ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସାମ୍ବାଦିକ ସର୍ବଦା ନିରପେକ୍ଷତା ଗ୍ରହଣ କରିବା ସହ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବୁଧବାର ସ୍ଥାନୀୟ ଲୋହିଆ ଏକାଡ଼େମୀରେ ଦୈନିକ ଇଂରାଜୀ ଖବରକାଗଜ ‘ଓଡିଶା ଟୁଡେ’ର ୧୮ତମ ବାର୍ଷିକ ଉତ୍ସବରେ ଉଦ୍ଘାଟକ ଭାବେ ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡ଼ ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ କହିଥିଲେ ଯେ, ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ । ସମ୍ବାଦ, ସାହିତ୍ୟ, ଭାଷା ପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । କାରଣ ଭାଷା ସୁଦୃଢ ହେଲେ ସମ୍ବାଦପତ୍ର ତାର ସ୍ଥିତି ବଜାୟ ରଖିପାରିବ । ଓଡ଼ିଶା ଟୁଡ଼େର ସମ୍ପାଦକ ଅବିନାଶ ମିଶ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବରିଷ୍ଠ ସାମ୍ବାଦିକ ଡ. ଭି ରାଜେନ୍ଦ୍ର ରାଜୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ଅରବିନ୍ଦ ଢାଲି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.କୁମରବର ଦାସ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଯୋଗଦେଇ ବର୍ତ୍ତମାନ ସ୍ଥିତିରେ ଛାପା ଗଣମାଧ୍ୟମ ବନାମଡିଜିଟାଲ ମିଡ଼ିଆ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ପ୍ରଫେସର ସୂର୍ଯ୍ୟମଣି ବେହେରା, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଗୌରଚନ୍ଦ୍ର ମହାପାତ୍ର, ସୋଆର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର, ପ୍ରଫେସର ଗୌତମ ମହାନ୍ତି ,ସମାଜସେବୀ ସସ୍ମିତା ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଓଡିଶା ଟୁଡେର ଜିଲ୍ଲା ପ୍ରତିନିଧିଙ୍କୁ
ମଧ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ମାଧନବାନନ୍ଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।