ତାମିଲନାଡୁରେ ପ୍ରବଳ ବର୍ଷା, ୧୫ ମୃତ, ସ୍କୁଲ ଓ କଲେଜ ଛୁଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳ ବର୍ଷା ହୋଇଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ୧୫ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ସ୍ଥାନୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏନ ପୁଭିରାଶନ କହିଛନ୍ତି, ଉପରସ୍ତର ବାୟୁ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ସେ କହିଛନ୍ତି ଯେ, ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ କିନ୍ତୁ ରାମନାଥପୁରମ, ତିରୁନେଲଭେଲି, ତୁତୀକୋରିନ, ଭେଲ୍ଲୋର, ତିରୁଭଲ୍ଲୁର, ତିରୁଭନ୍ନମଲାଇ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି ।
ଆଜି ସକାଳେ ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିଶ ଓ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କରୁଛି। ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଆଜି ସକାଳେ ଘର କାନ୍ଥ ଭୁଷୁଡି ୧୫ ଜଣ ମୃତ୍ୟୁବରଣ କରିଛନ୍ତି। ଏନେଇ ପୋଲିସର କହିବା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ଘରର କାନ୍ଥ ନଷ୍ଟ ହୋଇଯାଇଥିଲା। ଯାହା ଫଳରେ କାନ୍ଥ ଭୁଷୁଡି ଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଉଦ୍ଧାରକାରୀ ଟିମ୍ ୯ଟି ଶବ ଉଦ୍ଧାର କରିଛନ୍ତି।
ଏନ ପୁଭିରାଶନ ସୂଚନା ଦେଇଛନ୍ତି ଯେ, ଆରବସାଗରରେ ଚାପର କେନ୍ଦ୍ର ଯୋଗୁଁ ବାୟୁର ଗତି ବଢ଼ିବାର ସମ୍ଭାବନା ଦେଖାଯାଉଛି । ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହାରି ମଧ୍ୟରେ ପୋଲିସ ଆୟୁକ୍ତ ଏକେ ବିଶ୍ୱନାଥନ ଚେନ୍ନାଇର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି ।