ରାଜମହଲ ଛକ ପୋଲିସ ପବ୍ଲିକ ଗଣ୍ଡଗୋଳ, ଗିରଫ ସଂଖ୍ୟା ହେଲା ୧୩
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରାଜମହଲ ଛକରେ ଗତ ଶନିବାର ଗାଡି ଚେକିଂ କୁ ନେଇ ପୋଲିସ ଓ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଏହି ଘଟଣାକୁ କେନ୍ଦ୍ରକରି ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।
ସୂଚନା ଅନୁଯାୟୀ, ନୂତନ ମୋଟର ଯାନ ଆଇନ ଯୋଗୁଁ ଅତ୍ୟଧିକ ଜୋରିମାନା ଦେଇ ସାଧାରଣ ଲୋକଙ୍କ ମଧ୍ୟରେ ଦବି ରହିଥିବା ଅସନ୍ତୋଷ ଗତ ଶନିବାର ଉଗ୍ରରୂପ ଧାରଣ କରିଥଲା । ଭୁବନେଶ୍ୱର ରାଜମହଲ ଛକରେ ଚେକିଂ ଚାଲୁଥିବା ସମୟରେ ସାଧାରଣ ଜନତା ବିଏମସି ଗାଡି, ସରକାରୀ ଗାଡି ଓ ପୋଲିସ ଭ୍ୟାନର କାଗଜ ପତ୍ର ଚେକ ସହ ଡ୍ରାଇଭିଂ ଲାଇସେନ୍ସ ଚେକ କରିବକୁ ଜିଦ ଧରି ବସିଥିଲେ । ଫଳରେ ସେଠାରେ ପୋଲିସ ଓ ପୁବ୍ଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ସହିତ ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୫୩, ୫୦୬, ୨୯୪, ୩୭୯ ଓ ୧୪୯ର ସଂଗୀନ ଧାରା ଲଗାଇଛି।