୧୨୧ ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାରିଆଡ଼ୁ ଚାପ ବଢ଼ିବା ପରେ ପାକିସ୍ତାନ ସରକାର ଗୁରୁବାର ୧୨୧ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୧୮୨ ମଦ୍ରାସାର ନିୟନ୍ତ୍ରଣ ହାତକୁ ନେଇଛନ୍ତି । ଗତ ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାଠାରେ ଜୈଶ୍-ଇ-ମହମ୍ମଦର ବିସ୍ଫୋରଣ ପରେ ଏହି ଘଟଣାରେ ପାକିସ୍ତାନକୁ ଦାୟୀ କରି ଅନ୍ତର୍ଜାତୀୟ ସମୁଦାୟ ଆଗରେ ତଥ୍ୟ ରଖିଛି ଭାରତ । ଏହାକୁ ଦୃଷ୍ଟିରେ ରଖି ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ ଉପରେ କଡ଼ା ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା ଜୈଶ୍ର ପୁଲଓ୍ବାମା ଆକ୍ରମଣକୁ ନିନ୍ଦା କରିଥିଲା । ସମ୍ଭାବ୍ୟ କଟକଣା ଭୟରେ ପାକିସ୍ତାନ ଆତଙ୍କବାଦ ବିରୋଧରେ କେତେକ ପଦକ୍ଷେପ ନେବା ଆରମ୍ଭ କରିଛି । ଜୈଶ୍ ମୁଖ୍ୟ ମୌଲାନା ମାସୁଦ୍ ଆଝାରଙ୍କ ଭାଇ ମୁଫ୍ତି ଅବ୍ଦୁଲ ରୌଫ୍ ଓ ପୁଅ ହମ୍ମାଦ୍ ଆଝାରଙ୍କ ସମେତ ୪୪ ଆତଙ୍କବାଦୀ ମଙ୍ଗଳବାର ପାକିସ୍ତାନ ଗୃହବନ୍ଦୀ କରିଥିଲା । ଏବେ ଆଉ ୧୨୧ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୧୮୨ ମଦ୍ରାସାର ନିୟନ୍ତ୍ରଣ ହାତକୁ ନେଇଛି।