କିନ୍ନୌର ଭୂସ୍ଖଳନରେ ଏବେ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାରେ ବୁଧବାର ଦିନ ଏକ ବସ ଓ ଆଉ କିଛି ଗାଡି ଭୂସ୍ଖଳନର ଶିକାର ହୋଇଥିଲା। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୫ ମହିଳା ଓ ଜଣେ ଶିଶୁ ଅଛି। ଆଉ ଜଣେ ମୃତକଙ୍କ ପରିଚୟ ମିଳିନାହିଁ। ଏବେ ବି ପ୍ରାୟ ୫୦ ଜଣ ପାହାଡ ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଏହି ଭୂସ୍ଖଳନର ଏକ ଭିଡିଓ ସାମ୍ନାକୁ ଆସିଛି | ପାହାଡରୁ ପ୍ରଥମେ ପଥର ତଳକୁ ଖସିଥିଲା। ତାପରେ ପାହାଡର ଏକ ବଡ ଅଂଶ ୫ ନମ୍ବର ରାଜପଥ ଓ ନଦୀରେ ପଡିଥିବା ଭିଡିଓରେ ଦେଖିବାକୁ ମିଳିଛି।
ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ନିର୍ଦ୍ଦେଶକ ସୁଦେଶ କୁମାରଙ୍କ କହିବାନୁଯାୟୀ, ମୃତକଙ୍କ ମଧ୍ୟରୁ ୮ଜଣ ଗୋଟିଏ ଟାଟା ସୁମୋ ଟ୍ୟାକ୍ସିରେ ଫସିଥିଲେ। ହିମାଚଳ ସଡକ ପରିବହନ ନିଗମର ଏକ ବସ ଯେଉଁଟି ହରିଦ୍ୱାର ଯାଉଥିଲା ତାହା ଏବେ ବି ପାହାଡ଼ ତଳେ ଚାପି ହୋଇ ରହିଛି। ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। କାରଣ ବସ, ବୋଲେରୋ ଓ ଅନେକ ଯାତ୍ରୀ ଏବେ ବି ପାହାଡ ତଳେ ଚାପି ହୋଇରହିଛି ଏବଂ ଏବେ ଯାଏଁ ସେମାନଙ୍କ ପତା ମିଳିନି। ଦୁଇଟି ଗାଡି ପଥର ଖଣ୍ଡ ସହ ତଳକୁ ଖସି ଯାଇଥିବା ଆଶଙ୍କା କରାଯାଉଛି।
ଅଧିକାରୀ କହିଛନ୍ତି ଯେ ପଥର ପଡିବାରୁ ଗୋଟିଏ ଟ୍ରକ ନଦୀ କୂଳକୁ ଖସି ଯାଇଥିଲା ଓ ଟ୍ରକ ଚାଳକର ଶବ ଉଦ୍ଧାର ହୋଇଛି। ଏକ ଅଲ୍ଟୋ କାର ମଧ୍ୟ ଜବତ ହୋଇଛି ଯାହା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ତେବେ କାର ଭିତରେ କେହି ନଥିଲେ ବୋଲି ସେ କହିଛନ୍ତି।
ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଭୂସ୍ଖଳନ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି। ଉଦ୍ଧାରକାର୍ଯ୍ୟରେ ସବୁ ସମ୍ଭାବ୍ୟ ସହାୟତା କରିବାକୁ ମୋଦି ଆଶ୍ୱାସନା ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭୂସ୍ଖଳନ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଗୃହମନ୍ତ୍ରୀ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)କୁ ଉଦ୍ଧାରକାର୍ଯ୍ୟରେ ହିମାଚଳ ପ୍ରଦେଶ ସରକାରଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାରକାର୍ଯ୍ୟରେ ୧୦ ଆମ୍ବୁଲାନ୍ସ, ୪ ଅର୍ଥ ମୁଭର, ଆଇଟିବିପିର ୧୭ତମ ବାଟାଲିୟନର ୫୨ ଯବାନ, ପୋଲିସର ୩୦ ଯବାନ ଓ ଏନଡିଆରଏଫର ୨୭ ଯବାନ ସାମିଲ ଅଛନ୍ତି।