ମଝି ନଈରେ ଡଙ୍ଗା ବୁଡ଼ି, ୧୧ ମୃତ, ୪ନିଖୋଜ, ମୃତକଙ୍କ ପରିବାରକୁ ୪ଲକ୍ଷ ସହାୟତା ରାଶି ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣେଶ ବିସର୍ଜନ ହେଲା କାଳ । ଚାଲିଗଲା ୧୧ଜଣଙ୍କ ଜୀବନ । ବର୍ତ୍ତମାନ ମଧ୍ୟ ୪ଜଣ ନିଖୋଜ ଅଛନ୍ତି । ଆଜି ପାହାନ୍ତା ୪ଟା ସମୟରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରୁ କିଛି ଲୋକ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ବାହାରି ଥିଲେ । ନଦୀରେ ପାଣି ଅଧିକ ଥିବା ବେଳେ ଏକ ଛୋଟ ଡଙ୍ଗାରେ ସେମାନେ ଏକ ବଡ ମୂର୍ତ୍ତି ବିସର୍ଜନ କରିବାକୁ ନେଇଥିଲେ । ଯାହା ଫଳରେ ଡଙ୍ଗା ଟି ମଝି ନଈରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ମୂର୍ତ୍ତି ତଳେ ଚାପି ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ୪ଜଣ ନିଖୋଜ ଅଛନ୍ତି । ଘଟଣା ସ୍ଥଳରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରୁ ମୂର୍ତ୍ତି ବିସର୍ଜନ ନିମନ୍ତେ ଉକ୍ତ ଡଙ୍ଗାରେ ଅଧିକ ଶ୍ରଦ୍ଧାଳୁ ଥିବା ବେଳେ ଗଣେଶ ମୂର୍ତ୍ତି ମଧ୍ୟ ବଡ଼ ଥିଲା । ତେଣୁ ବିସର୍ଜନ ସମୟରେ ଡଙ୍ଗାଟି ଓଲଟି ଯାଇଥିଲା । ଗଣେଶ ମୂର୍ତ୍ତି ତଳେ ଚାପିହୋଇ ରହିଯିବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରତକ୍ଷଦର୍ଶୀ କହିଛନ୍ତି । ଡଙ୍ଗା ବୁଡି ଖବର ପାଇ ପୋଲିସ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମଧ୍ୟପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିବା ସହ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment