୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ, ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ , ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟ ପତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକସେବା ଭବନରେ ଆଜି କ୍ୟାବିନେଟର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ନଗର ଉନ୍ନୟନ, ସମାବାୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।
ସୂଚନା ଅନୁଯାୟୀ, ୧୬୦ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ନେଇ ପ୍ରସ୍ତାବରେ ଲାଗିଲା ମୋହର । ୨ ବର୍ଷରେ ସରିବ କାମ । ସେହିପରି ଆନ୍ତଃ ରାଜ୍ୟ ବସ ଟର୍ମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ଦୁଇ ବର୍ଷ ଭିତରେ ଏହି କାମ ସରିବ ଏବଂ ବିଡିଏର ତଦାରଖରେ ଏହି ଟର୍ମିନାଲକୁ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବା ସହ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ ।
ଚଳିତ ବର୍ଷ ନଭେମ୍ବରରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ଗତବର୍ଷ ଖରିଫ ଧାନ ସଂଗ୍ରହର ସମୟସୀମା ଏପ୍ରିଲ ଶେଷ ଯାଏଁ ଥିଲା । ରବି ଧାନ ମେ’ରୁ ଜୁନ ୨୦୨୦ ମଧ୍ୟରେ ସଂଗ୍ରହ କରାଯିବ । ଅନଲାଇନ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ । ଏଣିକି ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ବିକ୍ରି ଟଙ୍କା, ସରକାରୀ ଟଙ୍କା ବାକି ଥିଲେ ମିଲର କିଣି ପାରିବେନି ଧାନ । ପଞ୍ଜିକରଣ ପାଇଁ ଚାଷୀମାନେ ପ୍ଲଟୱାରୀ ତଥ୍ୟ ପ୍ରଦାନ କରିବେ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ହେବ ଏକମାତ୍ର ପରିଚୟ ପତ୍ର । ଆଧାର ମାଧ୍ୟମରେ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ ହେବ । ରାଜ୍ୟର ସମସ୍ତ ୩୧୦ଟି ଧାନ ସଂଗ୍ରହକାରୀ ବ୍ଲକରେ ସଂଗ୍ରହ ପ୍ରକ୍ରିୟା ପି-ପାସ୍ ମାଧ୍ୟମରେ ପରିଚାଳିତ ହେବ ।
ଧାନ କିଣାରେ ମହିଳା ନିୟୋଜିତ ହେବେ ।ଏସଏଟଜି, ସ୍ବଳ୍ପ ସଞ୍ଚୟ ସଂସ୍ଥାର କାର୍ଯ୍ୟ ପରିସର ସଂଶୋଧନକୁ ଅନୁମୋଦନ । ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା କାମରେ ଲଗାଯିବ, ଡିବିଟି ଓ ଅଣନଗଦ କାରବାରରେ ନିୟୋଜିତ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି । ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି ।
ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍ ରାସ୍ତା ପାଇଁ ମଞ୍ଜୁରି ସହ ୨୬ କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି । ରାଜ୍ୟର ୨ଟି ମେଡିକାଲ କଲେଜର ଆନୁସଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡରକୁ ମଧ୍ୟ ମଞ୍ଜୁରି ମିଳିଛି । ଏଥିରେ ବାଲେଶ୍ବର ମେଡିକାଲ କଲେଜ ପାଇଁ ୧୪୪.୯୮ କୋଟି ଟଙ୍କା ଏବଂ ବଲାଙ୍ଗିର ମେଡିକାଲ କଲେଜ ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।