ଘାଟି ତଳକୁ ଖସିଲା ମିନି ଟ୍ରକ, ୧୦ମୃତ । ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ସକାଳୁ ଏକ ମିନି ଟ୍ରକ ଘାଟି ତଳକୁ ଖସି ପଡ଼ିବା ଯୋଗୁ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ୪ ଜଣଙ୍କ ମୃତୁ ଘଟିଛି । ଏଥିସହ ୧୫ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


ପ୍ରକାଶ ଯେ, ଚର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପୂର୍ବାହ୍ନ ୧୦ଟା ବେଳେ ଏକ ମିନିଟ୍ରକ ଡାଲାରେ ବସି ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାଉଥିଲେ । ଏକ ବୁଲାଣି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ଦାରିଙ୍ଗବାଡ଼ି ଓ ଗଜପତି ଜିଲ୍ଲାର ମୋହନାରୁ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତମାନଙ୍କୁ ଉଦ୍ଧାର କରିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା ।  ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a comment