ବାଚସ୍ପତିଙ୍କୁ ଭେଟି ପୁଣି ଇସ୍ତଫା ପତ୍ର ପ୍ରଦାନ କଲେ ୧୦ ବିଦ୍ରୋହୀ ବିଧାୟକ

କର୍ଣ୍ଣାଟକ ମେଣ୍ଟ ସରକାର ଭାଙ୍ଗିବା ଆଶଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ମେଣ୍ଟ ଦଳର ବିଧାୟକଙ୍କ ଇସ୍ତଫା ପରଠାରୁ ଆରମ୍ଭ ହୋଇଥିବା କ୍ଷମତାଯୁଦ୍ଧ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ପ୍ରଥମେ କଂଗ୍ରେସ ଓ ଜେଡିଏସର ୧୦ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ କର୍ଣ୍ଣାଟକ ବାଚସ୍ପତି ରମେଶ କୁମାର ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ୧୦ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ଆଜି ମଧ୍ୟରାତ୍ରି ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାର ପୁନର୍ବିଚାର ପାଇଁ ବାଚସ୍ପତି କୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି । ଆଜି ସନ୍ଧ୍ୟାରେ ପୁଣି ବିଦ୍ରୋହୀ ୧୦ ବିଧାୟକ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବା ପରେ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା ଆଶଙ୍କା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ତେବେ ଇସ୍ତଫା ଦେଇଥିବା ସଦସ୍ୟଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କଲେ କର୍ଣ୍ଣାଟକରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବା ଜଳ ଜଳ ଦିଶୁଛି । ଇସ୍ତଫା ଦେଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଗଲେ କଂଗ୍ରେସ ସେଠାରେ ସରକାର ଗଠନ କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତଦେଉଥିବା ବେଳେ କଂଗ୍ରେସ ମୁରବିବିହୀନ ହୋଇଯାଇଥିବାରୁ କେଉଁ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ଥିର ହୋଇପାରୁ ନାହିଁ । ଏଭଳି ସ୍ଥଳରେ କଂଗ୍ରେସର ବିଧାୟକ ସଂଖ୍ୟା କମ୍‌ ରହିଥିବାରୁ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

ଆସନ୍ତାକାଲି ସୁପ୍ରିମକୋର୍ଟରେ ଇସ୍ତଫା ଦେଇଥିବା ବିଧାୟକଙ୍କ ଆବେଦନ ସହ ବାଚସ୍ପତି ରମେଶ କୁମାରଙ୍କ ଆବେଦନର ଶୁଣାଣି ହେବା ପରେ କର୍ଣ୍ଣାଟକର ରାଜନୀତି ନାଟକରେ ପୂର୍ଣ୍ଣଛେଦ ପଡ଼ିପାରେ ବୋଲି ଆଶା କରାଯାଉଛି । କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଲାଗି ବିଜେପିର କୌଣସି ଭୂମିକା ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

Leave a comment