ଓଡ଼ିଶା ସମେତ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ସ୍କିଲ୍ ଇଣ୍ଡିଆ ଡିଜିଟାଲ ପ୍ଲାଟଫର୍ମରେ ପାଇବେ ତାଲିମ: ଧର୍ମେନ୍ଦ୍ର ପ୍ରଧାନ

ଏନଏସଡିସି ଓ କୋକା-କୋଲା ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ  

0

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ):କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାରଦୀୟ ନବରାତ୍ରୀର ଶୁଭ ଅବସରରେ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀ ମାନଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ । ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ । ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍ ପ୍ରଶିକ୍ଷଣ ଦିଆଯିବ । ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ । ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକା-କୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଦେଶର ଅର୍ଥନୀତିରେ ବୃହତ ଶିଳ୍ପ ଓ କାରଖାନା ଗୁଡ଼ିକ ମଜଭୂତ ସ୍ତମ୍ଭ । ତେବେ ଛୋଟ ଛୋଟ ବ୍ୟବସାୟୀମାନେ କୌଣସି ଗୁଣରେ ଟାଟା, ବିର୍ଲା, ଅଦାନୀଠୁ କମ ନୁହଁନ୍ତି । ବଡ ବ୍ୟବସାୟୀଙ୍କ ଭଳି ଛୋଟ ଦୋକାନୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍-ସ୍କିଲିଂ କରାଇବା ସହ ଭାଷାଶୈଳୀର ପ୍ରଶିକ୍ଷଣ ଦିଆଗଲେ ଦେଶର ଅର୍ଥନୀତି ମଜବୁତ୍ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧତା ଦେଖାଇଛନ୍ତି । ଆଜି ପରିବର୍ତ୍ତିତ ଦୁନିଆରେ ଭାରତରେ ୟୁପିଆଇ ପେମେଣ୍ଟ ନୂଆ ରୂପ ନେଇଛି । ଏହା ହିଁ ମୋଦିଙ୍କ ଡିଜିଟାଲ ଇଣ୍ଡିଆ, ନୂଆ ଭାରତ । ଆଜିର ବୁଝାମଣା ପତ୍ର କ୍ଷୁଦ୍ର ବେପାରୀ ତଥା ଖୁଚୁରା ବ୍ୟବସାୟୀଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ରାସ୍ତା ଦେଖାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କୋକା-କୋଲାର ସଫଳ ରିଟେଲରଙ୍କୁ ପୁରସ୍କୃତ କରିବା ସହ ନିଜର କଳା ଦକ୍ଷତାର ଉପଯୋଗ କରି ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କୁ ସମ୍ମାନିତ କରିଥିଲେ । ସ୍କିଲ୍ ଇଣ୍ଡିଆ ଡିଜିଟାଲ ଆପ୍ ଡାଉନଲୋଡ୍ କରି ସେଥିରେ ଥିବା ଭିଡିଓରୁ ଶିକ୍ଷା ନେବା ପାଇଁ କେନ୍ଦ୍ରମନ୍ତ୍ରୀ ରିଟେଲର ମାନଙ୍କୁ ପରାମର୍ଶ ଦେଇଥିଲେ ।

Leave a comment