୭୨ଦିନ ପରେ ପରଦା ହଟିଲା; ସନ୍ଦେହରେ ପ୍ରେମିକାକୁ ମାରି ଫିଙ୍ଗି ଦେଇଥିଲା

ଭୁବନେଶ୍ୱର : ଦୟାନଦୀ ପଠାରୁ ମିଳିଥିବା ଗଳିତ ଶବର ରହସ୍ୟ ଖୋଲିଛି । ଘଟଣାର ୭୨ଦିନ ପରେ ପୋଲିସ ମାମଲା ଉପରୁ ପରଦା ହଟାଇଛି । ପ୍ରେମ-ପ୍ରତାରଣା-ପ୍ରତିଶୋଧକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତସିଂପୁର କୁଜଙ୍ଗର ଚନ୍ଦନ ପରିଡା ଓରଫ ମଙ୍ଗୁ । ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ତେବେ ପ୍ରେମିକାର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହରେ ତାକୁ ମାରି ଫିଙ୍ଗି ଦେଇଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ୱିକାର କରିଛି ।
ସୂଚନା ଅନୁସାରେ, ଗତ ଜାନୁଆରୀ ୧୭ତାରିଖ ଦିନ କନ୍ଧମାଳର ବନିତା ଦିଗଲ ତାଙ୍କ ଭଉଣୀ ସ୍ନେହା ବେହେରା ଓରଫ ଅପର୍ଣ୍ଣା ୧୦ ତାରିଖରୁ ନିଖୋଜ ଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ଷ୍ଟେସନ ଡାଏରୀ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଏହାର କିଛିଦିନ ପରେ ଅର୍ଥାତ ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଲିଙ୍ଗିପୁର ଅଂଚଳରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ଦେହଟି ଖଣ୍ଡଗିରିରୁ ନିଖୋଜ ଯୁବତୀଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହା ଏକ ପ୍ରେମ ଓ ପ୍ରତିଶୋଧର ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା ।
ତଦନ୍ତରୁ ଜଣାପଡିଲା ଯେ, କନ୍ଧମାଳର ସ୍ନେହା ବେହେରା ଖଣ୍ଡଗିରି ଅଂଚଳରେ ରହି ସେଲସ୍ ଗାର୍ଲ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଚନ୍ଦନ ପରିଡ଼ାଙ୍କ ସହ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ହେଲେ ସ୍ନେହାଙ୍କ ଚରିତ୍ରକୁ ନେଇ ଅଭିଯୁକ୍ତ ଚନ୍ଦନ ସନ୍ଦେହ କରୁଥିଲା । ସେ ଆଉ ଜଣେ ଯୁବକଙ୍କ ସହ କଥା ହେଉଥିବା ଚନ୍ଦନ ସନ୍ଦେହ କରୁଥିଲେ । ଏହାକୁ ନେଇ ତାଙ୍କ ଭିତରେ ବିବାଦର ସୁତ୍ରପାତ ହୋଇଥିଲା । ତେବେ ୧୦ ତାରିଖ ଦିନ ଦୁହେଁ ଧଉଳି ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ସନ୍ଧ୍ୟାରେ ଦୁହେଁ ନଦୀବନ୍ଧରେ ଚାଲି ଚାଲି ବାଙ୍କୁଆଳ ଆଡକୁ ଯାଉଥିଲେ ।
ଏହି ସମୟରେ ଉକ୍ତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ଅଭିଯୁକ୍ତ ତାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲା । ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲା । ପରେ ଚୁନିରେ ତା ବେକୁ ଚାପି ହତ୍ୟା କରିଥିଲା । ହତ୍ୟା କରିବା ପରେ ମୃତ ଦେହକୁ ନଦୀ ବନ୍ଧ କଡରେ ଫିଙ୍ଗି ଫେରାର ହୋଇଯାଇଥିଲା । ପୋଲିସ ଶବ ଜବତ ପରେ ମୃତ ଯୁବତୀଙ୍କ ମୋବାଇଲ ଫୋନକୁ ଆଧାର କରି ତଦନ୍ତ କରିବା ବେଳେ ଅଭିଯୁକ୍ତ ଚନ୍ଦନ ସନ୍ଦେହ ଘେରକୁ ଆସିଥିଲା । ପରେ ତାକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରିବା ପରେ ସେ ସତ ସ୍ୱିକାର କରିଥିଲା । ଅଭିଯୁକ୍ତ ଚନ୍ଦନ ନାମରେ ପୂର୍ବରୁ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଛି ।
ଅନ୍ୟପକ୍ଷରେ ପୁରୀ ଚନ୍ଦନପୁରର ମିଟୁ ପରିଡା ତଦନ୍ତକୁ ବାଟମଣା କରିବା ଓ ନିଜ ଶତ୍ରୁକୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯୁବତୀଙ୍କ ଗଳିତ ଶବ ମିଳିବା ଜାଣିବା ପରେ ମିଟୁ ଯାଜପୁରର ରମେଶ ସାହୁଙ୍କ ଆଧାର କାର୍ଡ, ମନିପର୍ସ ଓ ଅନ୍ୟାନ୍ୟ ଜିନିଷ ଘଟଣାସ୍ଥଳରେ ଫିଙ୍ଗି ଦେଇଥିଲା । ଫଳରେ ପୋଲିସର ସନ୍ଦେହ ତା’ ଉପରକୁ ଯାଇଥିଲା । ପରେ ଏହି ଘଟଣା ମଧ୍ୟ ସାମ୍ନାକୁ ଆସିଛି ଓ ମିଟୁ ପରିଡାକୁ ଗିରଫ କରାଯାଇଛି ।