୩ ଓଡ଼ିଆ ସାମିଲ୍, ବୀରେନ୍ଦ୍ର ଉପଅଧିନାୟକ

ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷିତ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୨୩ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ଏସିଆ କପ୍ ହକି ସକାଶେ ସୋମବାର ହକି ଇଣ୍ଡିଆ ପକ୍ଷରୁ ଏକ ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ମୋଟ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଭେଟେରାନ୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତାଙ୍କ ବ୍ୟତୀତ ଦଳରେ ଡିଫେଣ୍ଡର୍ ଦୀପ୍ସାନ୍ ତିର୍କୀ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି ।

ଅଭିଜ୍ଞ ଡ୍ରାଗ୍ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ଦଳର ଅଧିନାୟକ ରହିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ ବିଭିନ୍ନ ଦଳ ପାଖରେ ଆଗାମୀ ୨୦୨୩ ବିଶ୍ୱକପ୍ ସକାଶେ ସିଧାସଳଖ ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଛି । ଟୁର୍ଣ୍ଣାମେଣ୍ଟ୍ରେ ଭାରତ ପୁଲ୍-ଏ’ରେ ମାଲେସିଆ, କୋରିଆ, ଓମାନ୍ ଓ ବାଂଲାଦେଶ ପରି ଦଳ ସହ ସ୍ଥାନ ପାଇଛି । ଦଳ ଚୟନ ସମ୍ପର୍କରେ କୋଚ୍ ବିଜେ କାରିଆପ୍ପା କହିଛନ୍ତି ଯେ ଘୋଷିତ ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ଉତ୍ତମ ସମ୍ମିଶ୍ରଣ ରହିଛି । ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିମାନେ ବିଭିନ୍ନ ବୟସ ବର୍ଗରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖନ୍ତି। ଆୟୋଜକ ଭାବେ ଭାରତ ଆଗାମୀ ବିଶ୍ୱକପ୍ ସକାଶେ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିଲେ ହେଁ ଯୁବ ଖେଳାଳିମାନଙ୍କ ପାଖରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବା ସକାଶେ ଉତ୍ତମ ସୁଯୋଗ ରହିଛି ।

ଘୋଷିତ ଦଳ: ଗୋଲ୍କିପର୍-ପଙ୍କଜ କୁମାର ରଜକ ଓ ସୂରଜ କେର୍କେରା, ଡିଫେଣ୍ଡର୍-ରୂପିନ୍ଦର ପାଲ୍ ସିଂହ (ଅଧିନାୟକ), ଯଶଦୀପ ସିୱାଚ୍, ଅଭିଷେକ ଲାକ୍ରା, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ମନ୍ଜିତ୍ ଓ ଦୀପସାନ୍ ତିର୍କୀ, ମିଡ୍ଫିଲ୍ଡର୍-ବିଷ୍ଣୁକାନ୍ତ ସିଂହ, ରାଜ କୁମାର ପାଲ, ମାରିଶ୍ୱରେନ୍ ଏସ୍., ଶେଶେ ଗୌଡ଼ା ବିଏମ୍ ଓ ସିମରନ୍ଜିତ୍ ସିଂହ, ଫରୱାର୍ଡ- ପୱନ୍ ରାଜଭର, ଆଭାରନ୍ ସୁଦେବ, ଏସ୍ଭି ସୁନୀଲ, ଉତ୍ତମ ସିଂହ ଓ ଏସ. କାର୍ତ୍ତି; ବଦଳ ଖେଳାଳି: ମନିନ୍ଦର ସିଂହ ଓ ନୀଲମ ସଞ୍ଜୀପ ଖେସ୍; ଷ୍ଟାଣ୍ଡ୍ବାଇ ଖେଳାଳି: ପୱନ୍, ପରଦୀପ ସିଂହ, ଅଙ୍କିତ ପାଲ୍ ଓ ଅଙ୍ଗଦ ବୀର ସିଂହ ।

Leave a comment