୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ: ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ଭୁବନେଶ୍ଵରରେ ମେଟ୍ରୋ ରେଳ ପ୍ରକଳ୍ପ କାମ ଆଗେଇ ଚାଲିଛି। ତେଣୁ ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ଓଡ଼ିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବ। ଏ ନେଇ ଆଜି ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ ସମୀକ୍ଷା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୬କୋଟି ଟଙ୍କା ଖର୍ଚ୍ଚ ନେଇ ଅଟକଳ ହୋଇଛି । ନଭେମ୍ବର ୨୦୨୩ରୁ ଆଜି ସୁଦ୍ଧା ୪୬୦କୋଟି ଟଙ୍କା ଖର୍ଚ୍ଚ ସରିଛି। ପ୍ରକଳ୍ପ ପାଇଁ ଗଠିତ ହୋଇଥିବା ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ସହିତ ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ ଏକାଠି ମିଶି କାମ କରୁଛନ୍ତି। ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ୩ ଟି ଷ୍ଟେସନ୍ ଏକାମ୍ର ନିର୍ବାଚନ ମଣ୍ଡଳୀରେ, ୪ଟି ଷ୍ଟେସନ୍ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଓ ୧୦ଟି ଉତ୍ତର ନିର୍ବାଚନ ମଣ୍ଡଳୀରେ ହେବା ସହିତ ୩ ଟି ଷ୍ଟେସନ୍ କଟକରେ ରହିବ। ଏହାଦ୍ବାରା ଦୈନିକ ୯୫ ହଜାର ଲୋକ ଯାତାୟାତ କରିପାରିବେ। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି ଏବଂ ବାକି ୧୫ ଏକର ଜମି ଖୁବଶୀଘ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି।
ଏହି ପ୍ରକଳ୍ପ ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଷ୍ଟେସନ୍ ସମେତ ୨୬ କିଲୋ ମିଟର କାମ ହେବା ସହିତ ରୁଟରେ ମୋଟ ୧୩ଟି ଟ୍ରେନ୍ ଚାଲିବ। ପ୍ରତ୍ୟେକ ଟ୍ରେନରେ ୩ କରି କୋଚ୍ ରହିବ ବୋଲି ପ୍ରାଥମିକ ସୂଚନା ରହିଛି। ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବହୁ ଅଧିକାରୀ ଉପସ୍ଥିତ ଥିଲେ।