୧୪ ସାଇବର ଥାନାର ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ଉନ୍ନତି ଥାନାର ଶୁଭାରମ୍ଭ କରିବେ । ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ ଜଣ ବିଶେଷଜ୍ଞ ନିୟୋଜିତ ହେବେ । ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଥାନା ମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ଫାଇନାନସ ଓ ଆକାଉଣ୍ଟ ଆନାଲିସିଷ୍ଟ, ଆଇଟି ଏକ୍ସପର୍ଟ, ସାଇବର ଫରେନସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞକୁ ଥାନାରେ ନିୟୋଜିତ କରାଯିବ । ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହେଇଛି । ରାଜ୍ୟରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି । ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ ।