ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ: ଜଗିଛନ୍ତି ୨୦ ଏନଡିଆରଏଫ, ୫୧ ଓଡ୍ରାଫ ଟିମ ଓ ୧୭୮ ଅଗ୍ନିଶମ ଦଳ

0

ଭୁବନେଶ୍ୱର ଅକ୍ଟୋବର ୨୩: ସମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଘନ ଘନ ବୈଠକ ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି। ସେଠାରେ ବିପଦସଂକୁଳ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ ପଡିଲେ ସମ୍ବେଦନଶୀଳ ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ଚିହ୍ନଟ ହୋଇଛି। ସ୍ଥାନାନ୍ତର କାର୍ଯ୍ୟପାଇଁ ୨୦ଟି ଏନଡିଆରଏଫ ନିୟୋଜିତ ହୋଇଛନ୍ତି। ୫୧ ଟି ଓଡ୍ରାଫ ଓ ୧୭୮ଟି ଅଗ୍ନିଶମ ଟିମ ମୁତୟନ କରିବାକୁ ଆକ୍ସନ ପ୍ରାନ ପ୍ରସ୍ତୁତ ହୋଇଛି। ୪୦ଟି ଅଗ୍ନିଶମ ଟିମ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଭଟିଣ୍ଡାରୁ ୫ଟି ଏନଡିଆରଏଫ ଟିମ ଭୁବନେଶ୍ୱରରେ ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି।

୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ
ବାତ୍ୟା ଦାନା ପାଇଁ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଦାନା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ଏନେଇ ସମ୍ପୃକ୍ତ ଜିଲ୍ଲାର ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନମାନଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଲର୍ଟ ମୋଡ଼ରେ କାର୍ଯ୍ୟ କରୁଛନ୍ତି। ଜନସାଧାରଣ ମଧ୍ୟ ବେଶ ସଚେତନ ରହିଛନ୍ତି। ରାଜ୍ୟବାସୀଙ୍କ ବାତ୍ୟା ମୁକାବିଲା ନୁଆ ନୁହେଁ। ପୂର୍ବରୁ ଅନେକ ଝଡ଼ବାତ୍ୟା ରାଜ୍ୟ ଦେଖି ସାରିଛି। କିନ୍ତୁ ରାଜ୍ୟରେ ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର ପାଇଁ ଏହି ବାତ୍ୟା ପରିଚାଳନା ସମ୍ପୂର୍ଣ୍ଣ ନୂଆ। ତେବେ ବିଜେପି ବାତ୍ୟା ପରିଚାଳନା କ୍ଷେତ୍ରରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

Leave a comment