ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡ଼ିବ ତ୍ରିରଙ୍ଗା

0

୨୦୨୪ ମସିହା ନଭେମ୍ବର ମାସରେ ଓଡିଶାରେ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟଗୁଡିକରେ ଥିବା ଜନବସତି ବିହୀନ ଦ୍ବୀପ ଗୁଡିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଜନବସତି ବିହୀନ ଦ୍ୱୀପପୁଞ୍ଜ ଗୁଡିକରେ ଭାରତର ଗର୍ବ ଏବଂ ସାର୍ବଭୌମତ୍ୱ ପ୍ରଦର୍ଶନ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ପରିକଳ୍ପିତ ଏହି ଚିନ୍ତାଧାରାର ଉଦ୍ଦେଶ୍ୟ । ସ୍ୱାଧୀନତା ପରେ ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଐତିହାସିକ କାର‌୍ୟ୍ୟକ୍ରମ ପାଇଁ ଓଡ଼ିଶାର ୧୦ଟି ଉପକୂଳଦ୍ୱୀପକୁ ଚିହ୍ନଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ କାର୍ଯ୍ୟକାରୀ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେଇଥିଲେ ।

ସେହି ଅନୁଯାୟୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ କାର୍ଯ୍ୟକାରୀ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣ ଦ୍ବୀପ, ଭଦ୍ରକ ଜିଲ୍ଲାର ନୟା ଟାପୁ ଦ୍ବୀପ, ଉଡ଼ାବାଲି, କନିକା, ଲଙ୍ଗ ହ୍ଵିଲର, ସର୍ଟ ଆଇଲାଣ୍ଡ, ସ୍ମଲ ହ୍ଵିଲର ଏବଂ ଜଗତସିଂହପୁର ଜିଲ୍ଲାର ବୋଇତରକୁଦ, ଜଟାଧାରୀ ତଣ୍ଡା ଏବଂ ବରକୁଦ ଦ୍ବୀପରେ ଜାତୀୟ ପତାକା ଉଡାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ, ଆଜି ସମସ୍ତ ଦ୍ବୀପଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପୋଲିସର ସାମୁଦ୍ରିକ ଥାନା ପକ୍ଷରୁ ଏହି ଦ୍ବୀପଗୁଡିକୁ ସର୍ଭେ କରାଯାଇ ଜାତୀୟ ପତାକା ଉତ୍ତୋଳନ କରାଯିବା କାର୍ଯ୍ୟ ସମ୍ପାଦିତ କରାଯାଇଛି।

Leave a comment