ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ଦେବାକୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ଵର: ସରକାରୀ ଅଧିକାରୀ କେତେ ସମ୍ପତିର ମାଲିକ। ତାର ହିସାବ ରାଜ୍ୟ ସରକାର ମାଗିଥିଲେ। ହେଲେ ଏହାକୁ ଫୁରେ ଉଡାଇ ଦେଇଥିଲେ ବାବୁ। ଦୁଇ ଥର ଧାର୍ଯ୍ୟ ସମୟ ଗଡିବା ପରେ ଏଥର ସରକାର କଠୋର ହୋଇଛନ୍ତି। ନିର୍ଦ୍ଦେଶନାମା ଜାରି କରାଯାଇଛି। କୁହାଯାଇଛି, ଏଥର ଶେଷ ସୁଯୋଗ। ନଭେମ୍ବର ମାସ ଶେଷ ସୁଦ୍ଧା ଯଦି ଏଚ୍ ଆରଏମ୍ସି ପୋର୍ଟଲରେ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ଦାଖଲ ନ କରନ୍ତି, ତାହାଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଗ୍ରୁପ-ଏ ରୁ ଗ୍ରୁପ-ଡି ସବୁ କର୍ମଚାରୀ ଏଚ୍ଏମ୍ ଆରସି ପୋର୍ଟାଲରେ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବେ। ସବୁ ସ୍ଥାବର ଓ ଅସ୍ଥାବର ସମ୍ପତି ତାଲିକା ଦେବାକୁ କୁହାଯାଇଥିଲା। ୨୦୨୩ ଜାନୁଆରୀରୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ଏଥିରେ ଉଲ୍ଲେଖ ଥିଲା। ଜାନୁଆରୀ ମାସ ଶେଷ ସୁଦ୍ଧା ଦେବାକୁ ଧାର୍ଯ୍ୟ ହୋଇଥିଲା। ହେଲେ କେହି ଦାଖଲ ନ କରିବାକୁ ଏହାକୁ ଫେବୃଆରୀ ମାସ ୨୯ ଓ ପରେ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ। ତେଣୁ ଏବେ ସୁଦ୍ଧା ମାତ୍ର କିଛି ଜଣଙ୍କୁ ଛାଡିଲେ ଅଧିକାଂଶ ଅଧିକାରୀ ଦାଖଲ କରିନାହାନ୍ତି। ନୂଆ ସରକାର ଆସିବା ପରେ ଏବେ ସିଧା ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି। ନଭେମ୍ବର ସୁଦ୍ଧା ତାଲିକା ଦାଖଲ କରିବାକୁ ଶେଷ ତାରିଖ ରହିଛି।