ସତ୍ୟପାଠକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଳାପାହାଡ଼ ମାନସିକତା ରଖି ଓଡ଼ିଶାର ଐତିହ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ଭବିଷ୍ୟତ ପିଢ଼ି କେବେହେଲେ ନବୀନ ସରକାରଙ୍କୁ କ୍ଷମା କରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଏଏସ୍ଆଇ ତରଫରୁ ଦାଖଲ ହୋଇଥିବା ରିପୋର୍ଟ ଦେଖିବା ପରେ ସମସ୍ତ ଜଗନ୍ନାଥପ୍ରେମୀଙ୍କ ଧୈର୍ଯ୍ୟ ବିଚ୍ୟୁତି ହୋଇଛି ଏବଂ ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ କଳାଦିବସ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ୍ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଡ. ପାତ୍ର ପଚାରିଛନ୍ତି ଯେ ପ୍ରକଳ୍ପ ଡିପିଆରକୁ ବାରମ୍ବାର କାହିଁକି ଓ କାହା ସ୍ୱାର୍ଥରେ ପରିବର୍ତ୍ତନ କରାଯାଉଥିଲା । ଏଏସ୍ଆଇର ବିନା ଅନୁମତିରେ ରାଜ୍ୟ ସରକାର କେଉଁ ଆଧାରରେ ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ କରିଥିଲେ । ନିର୍ମାଣ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ବେଆଇନ ନୁହେଁ କି । ଖନନ ସମୟରେ ପୁରାତନ ଐତିହ୍ୟ ଅବଶେଷକୁ ଧ୍ୱଂସ କରି ରାଜ୍ୟ ସରକାର ଜଗନ୍ନାଥପ୍ରେମୀଙ୍କ ପ୍ରତି ଅନ୍ୟାୟ ଓ ବିଶ୍ୱାସଘାତକତା କରିଛନ୍ତି । ଅତୀତରେ କଳାପାହାଡ଼ ଯେପରି ଆମର ଐତିହ୍ୟ ଅବଶେଷକୁ ଧ୍ୱଂସ କରିବାର ପ୍ରୟାସ କରିଥିଲେ ଆଜି ରାଜ୍ୟ ସରକାର ସେହିପରି ଓଡ଼ିଆ ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି । ରାଜ୍ୟ ସରକାରଙ୍କ ଜିଦ୍ଖୋର, ଅହଙ୍କାର ଓ କଳାପାହାଡ଼ ମନୋଭାବ କାରଣରୁ ଶ୍ରୀମନ୍ଦିର ଆଜି ଅସୁରକ୍ଷିତ ହୋଇପଡ଼ିଛି । ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚଲାଉଥିବା ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରି ଅବିଳମ୍ବେ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି, ନିର୍ମାଣାଧୀନ ଅଭ୍ୟର୍ଥନା ଗୃହକୁ ନିଷିଦ୍ଧାଞ୍ଚଳରୁ ରେଗୁଲେଟୋରୀ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜ୍ୟ ସରକାର ସୋମବାର ହାଇକୋର୍ଟଙ୍କୁ ଜଣାଇଛନ୍ତି । ଅର୍ଥାତ୍ ରାଜ୍ୟ ସରକାର ଜାଣିଶୁଣି ସମସ୍ତ ଆଇନକୁ ଅମାନ୍ୟ କରି ଅଭ୍ୟର୍ଥନା ଗୃହକୁ ୧୦୦ ମିଟର ପରିଧି ଭିତରେ ତଥା ନିଷିଦ୍ଧାଞ୍ଚଳରେ ନିର୍ମାଣ କରୁଥିଲେ । ଏହା ସମ୍ପୂର୍ଣ୍ଣ ଆଇନବିରୋଧୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି ତ ଓଡ଼ିଆ ଜାତି ଅଛି । ଭାରତୀୟ ଜନତା ପାର୍ଟି ବିକାଶ କାର୍ଯ୍ୟକୁ କେବେହେଲେ ବିରୋଧ କରିନାହିଁ କି କରିବ ନାହିଁ । କିନ୍ତୁ ଲୋକଙ୍କୁ ବିଭ୍ରାନ୍ତ କରି, ଷଡ଼ଯନ୍ତ୍ର ରଚି, ବିଶ୍ୱାସଘାତ କରି ଏବଂ ଓଡ଼ିଆଙ୍କ ଭାବାବେଗକୁ ଅଣଦେଖା କରି ହେଉଥିବା ବିକାଶ କାର୍ଯ୍ୟକୁ ବିଜେପି ସର୍ବଦା ବିରୋଧ କରିଛି ଓ କରିବ । ପୁରୀ ସାଂସଦ ତଥା ଆଇନଜୀବୀ ପିନାକୀ ମିଶ୍ର ସଂସଦରେ ମାତ୍ର ୪ଟି ଶୌଚାଳୟର ନିର୍ମାଣ ହେଉଥିବାର ମିଛ କହି ଅକ୍ଷମଣୀୟ ଅପରାଧ କରିଛନ୍ତି । ପବିତ୍ର ସଂସଦରେ ମିଛ କହିଥିବା ସାଂସଦ ଶ୍ରୀ ମିଶ୍ର ସମସ୍ତଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଡ.ପାତ୍ର ଦାବି କରିଛନ୍ତି ।

Leave a comment