ଶ୍ରୀଲିଙ୍ଗରାଜଙ୍କ ବିବାହ ଶୋଭାଯାତ୍ରାରେ ଉଚ୍ଚ ଶବ୍ଦଯୁକ୍ତ ଆତସବାଜି, ଡିଜେ ଉପରେ ଲାଗିଲା କଟକଣା

0

ଆସନ୍ତା ୨୪ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ବିବାହ ନିମନ୍ତେ କେଦାରଗୌରୀ ମନ୍ଦିରକୁ ଶୋଭାଯାତ୍ରା ନେଇ ଯିବେ । କିନ୍ତୁ ଏଥର ଏହି ଶୋଭାଯାତ୍ରାରେ କିଛିଟା ନିର୍ଦ୍ଧିଷ୍ଟ କଟକଣା ଟ୍ରଷ୍ଟବୋର୍ଡ ତରଫରୁ ଲାଗୁ କରାଯାଇଛି । ମୁଖ୍ୟତଃ ବରଯାତ୍ରୀରେ ଉଚ୍ଚ ଶବ୍ଦଯୁକ୍ତ ଆତାସବାଜି ଓ ଡିଜେ ବଜାଇବା ଉପରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯିବ ।

ଏ ନେଇ ଏସିପି ଓ ଶ୍ରୀଲିଙ୍ଗରାଜଥାନା ଅଧିକାରୀ ଉପଯୁକ୍ତ ବିଚାର କରିବା ପରେ ଡିସିପିଙ୍କୁ ଅବଗତ କରାଇବେ । ତଦନୁଯାୟୀ ଏକ ନିର୍ଦ୍ଧିଷ୍ଟ ମାର୍ଗଦର୍ଶିକା ଜାରି କରାଯିବ ବୋଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ଠାରେ ଆୟୋଜିତ ନ୍ୟାସି ମଣ୍ଡଳି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଏହି ବୈଠକରେ ଶ୍ରାବଣୀ ପାଉଣା ଓ ଜମିଜମା ବିବାଦ ଆଦିର ସମାଧାନ ପାଇଁ ଏକ କମିଟି ଗଠନ କରିବା ଲାଗି ଚୁଡାନ୍ତ ହୋଇଛି । ଏହି କମିଟିରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ଦିଲ୍ଲୀପ କୁମାର ମହାମାତ୍ର,ଟ୍ରଷ୍ଟ ବୋର୍ଡ ସଦସ୍ୟ ଅବନୀକାନ୍ତ ପଟ୍ଟନାୟକ,ରୁଦ୍ର ପ୍ରସାଦ ନନ୍ଦ ଓ ମନ୍ଦିର ଓକିଲ ରବି ରାଉତରାୟଙ୍କୁ ସାମିଲ କରାଯିବ । ଖଉଡା ସେବାୟତଙ୍କ ସେବା ପାଉଣାରେ ୨୦ଟଙ୍କା ବୃଦ୍ଧି କରିବାକୁ ନ୍ୟାସି ମଣ୍ଡଳି ସହମତି ଦେଇଛନ୍ତି । ଏକାମ୍ର ପ୍ରକଳ୍ପ ଟେଣ୍ଡର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଓବିସିସି(ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ)ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ.ରଶ୍ମୀ ରଞ୍ଜନ ସାହୁ ଓ ତାଙ୍କ ସହଯୋଗୀ ପୁରା ପ୍ରକଳ୍ପ ବାବଦରେ ବିସ୍ତୃତ ଭାବରେ ଅବଗତ କରାଇ ଥିଲେ । ଏତଦ୍‌ ବ୍ୟତିତ ମନ୍ଦିର ଆୟବ୍ୟୟ ଓ ଦିଅଁଙ୍କ ଭୁସମ୍ପତି ଜବର ଦଖଲ ମୁକ୍ତ କରାଇବେ ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଡୁ ନିଯୋଗ ସଭାପତି ଅଞ୍ଚଳ ବଡୁ,ପୂଜାପଣ୍ଡା ନିଯୋଗର ପ୍ରଶନ୍ନ ପୂଜାପଣ୍ଡା,ବ୍ରାହ୍ମଣ ନିଯୋଗର ହେମନ୍ତ ପଣ୍ଡା ଓ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ଥିଲେ।

 

Leave a comment