ଲ୍ୟାଣ୍ଡଫଲ କରୁଛି ବାତ୍ୟା ମୋଚା, ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ରଚୁଛି ତାଣ୍ଡବ
ରବିବାର ଦିନ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ବାତ୍ୟା ମୋଚା ତାଣ୍ଡବ ରଚୁଛି । ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୮୦ ରହିଛି । ଅପରାହ୍ନ ୩ଟା ରେ ଏହା ଶୀଖର ବା ପିକ୍ ପଏଣ୍ଟରେ ରହିବ ।
ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୧୦ ରହିବ ବୋଲି ପୂର୍ବାନୁମାନ କରାଯାଉଚି । ପବନର ସର୍ବୋଚ୍ଚ ବେଗ ୨୪୦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ମିଳିତ ଜାତିସଂଘର ଏଜେନ୍ସି ବିଶ୍ୱ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ସୂଚନା ଅନୁସାରେ ଏହି ସୁପର ସାଇକ୍ଲୋନନ୍ ଦୁଇ ଦେଶର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଘଟାଇବାର ସମ୍ଭାବନା ରହିଛି । ଉଭୟ ବାଂଲାଦେଶ ଏବଂ ମିଆଁମାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମେତ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଶିବିରରେ ଆଶ୍ରୟ ଦିଆଯାଇଛି ।
ଭାରତ ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ମୋଚା ଆଜି ବାଂଲାଦେଶର କକ୍ସ ବଜାର ଏବଂ ଉତ୍ତର ମିଆଁମାରର କାୟୁକପିୟୁ ଦେଇ ଅତିକ୍ରମ କରିବ । ମିଆଁମାରର ପାଣିପାଗ ବିଭାଗ କହିଛି ଯେ ବାତ୍ୟା ମୋଚା ମିଆଁମାରର ରାଖାଇନ୍ ରାଜ୍ୟ ଉପକୂଳରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର କେନ୍ଦ୍ର ସିତ୍ୱେ ଟାଉନସିପ୍ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ମିଆଁମାରର ପାଣିପାଗ ବିଭାଗ କହିଛି।