ଲକଡାଉନ୍ରେ ହେବ ପିପିଲି ଭୋଟ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ରାଜ୍ୟରେ ମେ ୫ରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ । ଏହି ସମୟରେ ସମସ୍ତ ସାଧାରଣ ଗତିବିଧି ବନ୍ଦ ରହିବ । କେବଳ ଜରୁରୀକାଳିନ ତଥା ଅତ୍ୟାବଶ୍ୟକ ସେବାକୁ ରୋକ୍ ଲାଗିବ ନାହିଁ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଭଳି କାର୍ଯ୍ୟ ନେଇ ସନ୍ଦେହ ରହିଥିବା ବେଳେ ପିପିଲି ଉପ ନିର୍ବାଚନ ଅଟକିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଅଙ୍କୁଶ ରହିଥିବା ବେଳେ କୋଭିଡ୍ ଗାଇଡଲାଇନ୍ ଭିତରେ ପିପିଲି ଭୋଟ୍କୁ ଅନୁମତି ମିଳିଛି ।
ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ, ନିର୍ବାଚନ ପ୍ରକ୍ରିୟାକୁ ଲକଡାଉନରୁ ବାଦ୍ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଭୋଟଦାନ ହେବ । ନୂଆ କଟକଣା ନିର୍ବାଚନ ଥିବା ଅଞ୍ଚଳରେ ଲାଗୁ ହେବ ନାହିଁ । ଏହି ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, ପୋଲିଂ ଏଜେଣ୍ଟ, ଦଳୀୟ ପ୍ରାର୍ଥୀଙ୍କ ଗତିବିଧି ଉପରେ ରୋକ୍ ଲାଗିବ ନାହିଁ । ଭୋଟ୍ ଦାନ ବେଳେ ଭୋଟର୍ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ବୁଥକୁ ଆସି ଭୋଟ୍ ଦେଇପାରିବେ ।