ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ ସଂକ୍ଷେପରେ…
୧.ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ଗୋଟିଏ ଲେଖାଏଁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ। ନୂତନ ଶିକ୍ଷାନୀତି ଅନୁସାରେ ଏଠାରେ ପାଠପଢ଼ା ହେବ। ଅଷ୍ଟମ ଶ୍ରେଣୀ ଯାଏ ଏଠାରେ ପାଠ ପଢ଼ାଯିବା ପରେ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ସ୍ମାର୍ଟ ସ୍କୁଲରେ ପାଠ ପଢ଼ିବା ପାଇଁ ସୁଯୋଗ ମିଳିବ। ପ୍ରଥମ ପର୍ୟ୍ୟାୟରେ ୧୧୪ ପଞ୍ଚାୟତରେ ଏହିପରି ସ୍କୁଲ୍ ଆସନ୍ତା ଆର୍ଥିକ ବର୍ଷରେ ଖୋଲାଯିବ। ଏଥିଲାଗି ୧୨ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ୪ ବର୍ଷ ଭିତରେ ସମସ୍ତ ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ସ୍କୁଲ୍ ଗୋଦାବରୀଶ ମିଶ୍ରଙ୍କ ନାଁରେ ଆଦର୍ଶ ବିଦ୍ୟାଳୟ ଭାବେ ଅଭିହିତ ହେବେ। ଏଥିପାଇଁ ଜମି ଅଧିଗ୍ରହଣ ଏବଂ ଶିକ୍ଷକ ନିଯୁକ୍ତି ହେବ।
୨.ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ଓଡ଼ିଶାର ଦାବିକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍। ଆସନ୍ତା ୪ ତାରିଖରୁ ୭ ତାରିଖ ଯାଏ ଅର୍ଥ କମିଶନ ରାଜ୍ୟରେ ରହିବେ। ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ସମୀକ୍ଷା ତଥା ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଆହ୍ୱାନ କରିବା କାର୍ୟ୍ୟକ୍ରମ ରହିଛି। ଏଣୁ କ୍ୟାବିନେଟ୍ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
୩.ଓଡ଼ିଶା ବିଧି ଆୟୋଗ ଗଠନ ନୀତିରେ ସଂଶୋଧନକୁ ଅନୁମୋଦନ କରିଛନ୍ତି ସରକାର। ଏହାଦ୍ୱାରା ଅଧ୍ୟକ୍ଷଙ୍କ ସମେତ ଅନ୍ୟ ପୂର୍ଣ୍ଣକାଳୀନ ଅଣ ସରକାରୀ ସଦସ୍ୟ ଓ ଆଂଶିକ କାଳୀନ ସଦସ୍ୟଙ୍କ ଚୟନରେ ଥିବା ପ୍ରତିବନ୍ଧକ ଉଠାଯାଇଛି।
୪.ଗ୍ରୀଡ୍କୋକୁ ୩୧୦୮ କୋଟି ୨୧ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଛନ୍ତି ସରକାର। ଏହାଦ୍ୱାରା ଗ୍ରୀଡକୋ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରୁ ଋଣ ଉଠାଇପାରିବ। ଫଳରେ ଗ୍ରୀଡକୋକୁ ସୁଧ ବାବଦୀୟ ଖର୍ଚ୍ଚ କମ୍ କରିବାକୁ ପଡ଼ିବ।
୫.ପ୍ରଚଳିତ ହେବ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ଏଥିରେ ଗାଁର ବିକାଶ ପାଇଁ ପ୍ରତିବର୍ଷ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସମୁଦାୟ ୫ ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳର ଭିତ୍ତିଭୂମି ତଥା ଦୀର୍ଘକାଳୀନ ବିକାଶ ଲାଗି ଏଥିରେ ପଦକ୍ଷେପ ନିଆଯିବ।
୬. ଓଡ଼ିଶା ଡାକ୍ତରୀ ନିଯୁକ୍ତି ନିୟମାବଳୀ ସଂଶୋଧନ ହେବ। ଏହାସହ ଦନ୍ତ ଡାକ୍ତର ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ ହେବ। ଏଥିନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି ଅଧିକ ଡାକ୍ତର ରହିଲେ ଚିକିତ୍ସା ଭଲ ହୋଇପାରିବ। ସେଥିଲାଗି ଏହି ପ୍ରସ୍ତାବରେ ଗୁରୁତ୍ୱାରୋପ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଅଧିକ ୫ ହଜାର ଡାକ୍ତର ନିଯୁକ୍ତ ହେବେ। ୧୨୬ ଦନ୍ତ ଡାକ୍ତର ମଧ୍ୟ ନିଯୁକ୍ତ ହେବେ।
୭.ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ସହାୟତା ରାଶିକୁ ବୃଦ୍ଧି କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି ତଥା ତୃତୀୟଲିଙ୍ଗୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯିବାକୁ ଥିବା ଶୀତଳ ଭଣ୍ଡାର ଲାଗି ୬୦ ପ୍ରତିଶତ ନିବେଶର ସହାୟତା ପ୍ରଦାନ କରିବେ। ଏହା ସର୍ବାଧିକ ସାଢ଼ ୬ କୋଟି ଟଙ୍କାରେ ସୀମିତ ରହିବ। ସାଧାରଣ ବର୍ଗର ହିତାଧିକାରୀଙ୍କ ପାଇଁ ଏହି ସହାୟତା ୫୦ ପ୍ରତିଶତ ବା ସର୍ବାଧିକ ୬ କୋଟି ଟଙ୍କା ହେବ। ଏହା ସହ ନୂତନ ଶୀତଳ ଭଣ୍ଡାର ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ୍ ଋଣ ଉପରେ ୬% ସୁଧ ସହାୟତା ପ୍ରଦାନ କରାଯିବ।
୮.ଓଡ଼ିଶାରେ ସିଲିକନ୍ କାର୍ବାଇଡ୍ ସେମି କଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ଲାଗି ଆର୍ଆଇଆର୍ ପାଓ୍ୱାର ଇଲେକ୍ଟ୍ରନିକ୍ସ ଲିମିଟେଡ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ସ୍ଥାନ ଭାବେ ଭୁବନେଶ୍ୱରରେ ଏହି କାରଖାନା ପ୍ରତିଷ୍ଠା ହେବ। ଯେଉଁଥିରେ ୬୧୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଏହି ପ୍ରକଳ୍ପରେ ୭୫୦ ନୂଆ ନିଯୁକ୍ତି ସୃଷ୍ଟି ହେବ।