ରାଜ୍ୟରେ ଆବାସ ସର୍ଭେ ଆରମ୍ଭ

0

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ । ଆବାସ ପ୍ଲସ ମୋବାଇଲ୍ ଆପ୍ ଜରିଆରେ ସର୍ଭେ କରାଯିବ । ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଆରମ୍ଭ କରି ଏପରି କହିଲେ ମନ୍ତ୍ରୀ ରବିନାରାୟଣ ନାୟକ। ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାମନ୍ତ୍ରୀ ଆବାସ ପାଇଁ ସର୍ଭେ । ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି । ଲୋକଙ୍କ ଦୁଃଖ ବୁଝିଛନ୍ତି । ଗରୀବ ଲୋକଙ୍କ ଘରକୁ ଯାଇ ସର୍ଭେ କରିଛନ୍ତି । ଲୋକଙ୍କ ଦୁଃଖ ଶୁଣିବା ପରେ ମନ୍ତ୍ରୀ ରବି ନାୟକ କହିଛନ୍ତି, ଜଗନ୍ନାଥଙ୍କ ମାଟିରେ ପ୍ରଥମେ ସର୍ଭେ ଆରମ୍ଭ ହୋଇଛି । ସର୍ଭେରୁ ଜଣାପଡିଛି ତାଲିକାରେ ପ୍ରକୃତ ଗରିବ, ନିଷ୍ପେଷିତଙ୍କ ନାଁ ନାହିଁ । ଏଣିକି କେହିବି ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବେ ନାହିଁ ।

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ । ପୃଥକ ଭାବେ ବାସ କରୁଥିବା ପରିବାର ମଧ୍ୟ ସାମିଲ ହୋଇପାରିବେ। ଦୁଇ ଚକିଆ ଯାନ, ଫ୍ରିଜ୍ ଓ ଲ୍ୟାଣ୍ଡଲାଇନ ଫୋନ ଥିବା ପରିବାର ତାଲିକାଭୁକ୍ତ ହୋଇପାରିବେ। ଗୃହ ମଞ୍ଜୁରୀ ପାଇଁ ପରିବାରର ଆୟ ସୀମା ୧୫ ହଜାରକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି ।

Leave a comment