ରାଜଧାନୀରେ ଡେଙ୍ଗୁ ନେଲା ଜୀବନ
ଡେଙ୍ଗୁ ନେଲା ଜୀବନ । ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସାଇସ୍ମିତା ସାହୁ ଓରଫ୍ ପିହୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି ।
ରାଜଧାନୀରେ ଚଳିତ ବର୍ଷ ଏହା ଡେଙ୍ଗୁଜନିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ରାଜଧାନୀରେ ଡେଙ୍ଗୁ ଏବେ ଡେଇଁବାରେ ଲାଗିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ପୂର୍ବରୁ ହଟସ୍ପଟ୍ ପାଲଟିଥିବା ନୂଆପଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେଉଁ କାରଣରୁ ଏହି ଗୋଟିଏ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି ତାହା ବିଏମସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ଧରି ପାରୁ ନାହାନ୍ତି । ସେହିପରି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି ।