ରାଗ ତରକାରୀ କେମିତି ଠିକ୍ କରିବେ ଜାଣନ୍ତୁ

0

ରୋଷେଇ କରିବା ସହଜ କାମ ନୁହେଁ। ରୋଷେଇ ସମୟରେ ଅନେକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ରାନ୍ଧିବା ଏକ କଳା କହିଲେ ଚଳେ, ଏଥିରେ ଭୁଲ କରିବା ସ୍ୱଭାବିକ କଥା, ତେବେ ଭୁଲକୁ ସୁଧାରିବା ପାଇଁ ଉପାୟ ଖୋଜି ପାଇଲେ ସବୁଠୁ ବୁଦ୍ଧିମାନର କାମ ହୋଇଥାଏ। ରୋଷେଇ ସମୟରେ ମହିଳାମାନଙ୍କ ଦ୍ବାରା ହେଉଥିବା ସବୁଠୁ ବଡ ଗଡବଡ଼ ହେଉଛି ଖାଦ୍ୟରେ ଅଧିକ ଲୁଣ କିମ୍ୱା ଲଙ୍କା ପଡିଯିବା। ବେଳେବେଳେ ଏମିତି ହୁଏକି ମହିଳାମାନେ ସେମାନଙ୍କ ପରିବାର ଲୋକଙ୍କ ଆବଶ୍ୟକତା ବା ପସନ୍ଦ ଅନୁଯାୟୀ ସାଧାରଣ ମାତ୍ରାରେ ଲଙ୍କା ପକାଇଥାଆନ୍ତି କିନ୍ତୁ ଘରକୁ ଆସିଥିବା ଅତିଥିମାନେ କମ୍ ଲଙ୍କା ଖାଇଥାନ୍ତି। ଅନେକ ସମୟରେ କେତେକ ଲଙ୍କାର ରାଗ ଟିକେ ଅଧିକ ହେବା କାରଣରୁ ପୁରା ତରକାରୀ ରଗୁଆ ହୋଇଯାଏ। ସେ ଯାହାବି ହେଉ ଖାଦ୍ୟରେ ଲଙ୍କା ଅଧିକ ହେଲେ ଖାଇବାତ ଦୂରର କଥା ପାଟିରେ ରଖି ହେବନି, ତାଛଡା ଛୋଟ ପିଲା ଆଉ ଗ୍ୟାସ୍ ରୋଗରେ ପୀଡିତ ଲୋକଙ୍କ ପାଇଁ ଏଭଳି ଖାଦ୍ୟ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଖଦ୍ୟରେ ଅଧିକ ଲଙ୍କା ପଡିଗଲେ ଗୃହିଣୀମାନେ ଚିନ୍ତିତ ହୋଇ ପଡ଼ନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କେତେକ ସହଜ ଉପାୟ ଜଣାଉଛୁ ଯାହାଦ୍ଵାରା ଖାଦ୍ୟରୁ ରାଗ ଅଂଶ କମାଇ ପାରିବେ …

ଯଦି ଲଙ୍କା କୌଣସି ଡାଲି, ପଲାଉ, ତରକାରୀରେ ବା ଗ୍ରେଭିରେ ଆଦିରେ ପଡ଼ିଯାଏ, ତେବେ ଆପଣ ସେଥିରେ ଅଳ୍ପ ଗୁଆଘିଅ ମିଶାଇ ରାଗ କମ କରି ପାରିବେ। ଖାଦ୍ୟରେ ଘିଅ ମିଶିବା ସହ ରାଗ ତ କମ ହୁଏ ତାସହ ସ୍ବାଦ ମଧ୍ୟ ବଢ଼ିଥାଏ। ଯଦି ଘିଅ କାମ ନକରେ, ତେବେ ସେଥିରେ କ୍ରିମ୍ କିମ୍ବା ଦହି ମିଶାନ୍ତୁ, ଏହା ଦ୍ଵାରା ରାଗ କମ ହୋଇଯିବ। ଏହାସହ ତରକରିରେ କିଛି କ୍ଷୀର ମିଶାଇ ଲଙ୍କାର ପ୍ରଭାବ କମ କରିପାରିବେ। ଏହାଦ୍ଵାରା ସ୍ବାଦ ଭଲ ହୋଇଯିବ ଏବଂ ରାଗ ମଧ୍ୟ କମ୍ ଜଣା ପଡିବ।

ଭିନେଗାର, ଲେମ୍ବୁ କିମ୍ବା ଏହିପରି ଅମ୍ଳୀୟ ଜିନିଷ ଲଙ୍କାର ପ୍ରଭାବକୁ ହ୍ରାସ କରିଥାଏ। ଯଦି ବି କୌଣସି ଖାଦ୍ୟରେ ଲଙ୍କା ଅଧିକ ପଡ଼ିଯାଏ ସେଥିରେ ଲେମ୍ବୁ, ଭିନେଗାର କିମ୍ବା ଟମାଟୋ ସସ୍ ମିଶାଇ ଦିଅନ୍ତୁ ଦେଖିବେ ରାଗର ମାତ୍ରା କମିଯିବ। ମହୁ କିମ୍ବା ଚିନି ସାହାଯ୍ୟରେ ମଧ୍ୟ ଆପଣ ଲଙ୍କାର ରାଗ ହ୍ରାସ କରିପରିବେ। ଅଧିକ ରାଗ ଲାଗୁଥିବା ଯେ କୌଣସି ଖାଦ୍ୟରେ ଆପଣ ଟିକେ ମହୁ କିମ୍ବା ଚିନି ମିଶାଇ ଫୁଟାଇ ଦିଅନ୍ତୁ କିମ୍ବା ଭଲଭାବେ ଗୋଳେଇ ଦିଅନ୍ତୁ ରାଗ କମ ହୋଇଯିବ। ଆପଣ ପନିର କିମ୍ବା କୋଫତା ପରି ଖାଦ୍ୟ ପ୍ରସ୍ତୁତି ସମୟରେ ମଧ୍ୟ ଏହି ଉପାୟକୁ ପ୍ରୟୋଗ କରି ପାରିବେ।ଯଦି ଆପଣ ଅନୁଭବ କରୁଛନ୍ତି ଯେ ଲଙ୍କା ଆପଣଙ୍କ ସ୍ୱାଦିଷ୍ଟ ଖାଦ୍ୟକୁ ନଷ୍ଟ କରିପାରେ, ତେବେ ଆପଣ ଗୋଟେ ଟମାଟୋ ଗ୍ରାଇଣ୍ଡ୍ କରି ସେଥିରେ ମିଶାଇ ପାରିବେ। କଞ୍ଚା ଟମାଟୋ ମିଶାଇଲେ ତରକାରୀର ସ୍ୱାଦ ନଷ୍ଟ ହୋଇପାରେ। ତେଣୁ ଆପଣ ଟମାଟୋ ପ୍ୟୁରି ତିଆରି କରି ଏହାକୁ ଘିଅରେ ଭଲ ଭାବରେ ଭାଜିଦିଅନ୍ତୁ। ଏବେ ସେଥିରେ ଟିକେ ଲୁଣ ମିଶାଇ ତାକୁ ରାଗ ହୋଇଥିବା ଖାଦ୍ୟରେ ମିଶାଇ ଗରମ କରନ୍ତୁ। ଦେଖିବେ ସ୍ୱାଦରେ କୌଣସି ପରିବର୍ତ୍ତନ ହେବ ନାହିଁ କିନ୍ତୁ ରାଗ କମିଯିବ। ସେହିପରି ଆପଣ ବେସନ ଦ୍ଵାରା ତରକାରୀରୁ ରାଗ କମ କରିପାରିବେ। ଯଦି ଆପଣ ଏକ ଶୁଖିଲା ତରକାରୀ ବା ଭଜା ତିଆରି କରିଛନ୍ତି, ତା’ହେଲେ ସେଥିରୁ ରାଗ କମ କରିବାକୁ, ଅଳ୍ପ ବେସନ କୁ ଭାଜି ମିଶାଇ ଦିଅନ୍ତୁ। ଖାଦ୍ୟରେ ରାଗ କମ କରିବା ପାଇଁ ଆପଣ ମଇଦାର ବ୍ୟବହାର ମଧ୍ୟ କରିପାରିବେ। ଏଥିପାଇଁ ଏକ ଚାମଚ ତେଲରେ ଅଳ୍ପ ମଇଦା ମିଶାଇ ହାଲୁକା ଭାଜନ୍ତୁ। ଏବେ ଏହାକୁ ଅଧିକ ଲଙ୍କା ପଡ଼ିଥିବା ଖାଦ୍ୟରେ ମିଶାନ୍ତୁ। ଏହା ପନିପରିବାର ଗ୍ରେଭିକୁ ମୋଟା କରିଦେବ ଏବଂ ରାଗ ମଧ୍ୟ ହ୍ରାସ କରିବ। ଏହି ଉପାୟକୁ ଆପଣ ତରକାରୀରେ ଅଧିକ ମସଲା ହୋଇଥିଲେ କମ କରିବା ପାଇଁ ବ୍ୟବହାର କରି ପାରିବେ।ଏହା ବ୍ୟତୀତ ଆପଣ କିଛି ସିଝା ଆଳୁ ଖଣ୍ଡ ଖଣ୍ଡ କରି ରାଗ ହୋଇଥିବା ତରକାରୀରେ ମିଶାଇ ପାରିବେ ଏହାଦ୍ବାରା ରାଗ କମ ହେବା ସହ ସ୍ୱାଦରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆପଣ ତରକାରି ବା ଅନ୍ୟ ଖାଦ୍ୟରୁ ରାଗ କମ କରିବା ପାଇଁ ଅଳ୍ପ ନଡ଼ିଆ ତେଲ ମିଶାଇ ଫୁଟାଇ ପାରିବେ। ଏହାଦ୍ବାରା ରାଗ କମିଯିବ। ଏହାସହ ଖାଦ୍ୟ ଉପଦାନ ବୃଦ୍ଧି କରି ପାରିବେ।

Leave a comment